ମହାଦେବ ମନ୍ଦିରକୁ ଗୋବର ଛାଟି କଦର୍ଯ୍ୟ କଲେ ଦୁର୍ବୃତ୍ତ
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଶିବୁଳାପଶି ଗାଁରେ ରହିଛି ବହୁ ପୁରାତନ ଐତିହ୍ୟ ସମ୍ପନ୍ନ ବାବା ସ୍ୱପ୍ନେଶ୍ୱର ଶିବ ମନ୍ଦିର। ହେଲେ ଏହି ମହାଦେବ ମନ୍ଦିରରେ ଦେଖିବାକୁ ମିଳିଛି ବିଚିତ୍ର ଚିତ୍ର। କେହି ଦୁର୍ବୃତ୍ତ ମନ୍ଦିରର ସମ୍ପୂର୍ଣ୍ଣ ମୁଖଶାଳା, ଦେବାଦେବୀଙ୍କ ସ୍ଥାପିତ ସ୍ଥାନ, ପାର୍ଶ୍ୱ ମୂର୍ତ୍ତି, ମନ୍ଦିର କାନ୍ଥ ଆଦିରେ ଗୋବର ଓ ମାଟି ଲେପି ମନ୍ଦିରଟିକୁ ଅତି କଦର୍ଯ୍ୟ ଓ କଦାକାର କରି ଦେଇଛି।
ନିକଟରେ ୪ ଲକ୍ଷ ଟଙ୍କା ବ୍ୟୟରେ ଫାଇଭ -ଟି ଜରିଆରେ ମନ୍ଦିରର ରଙ୍ଗ କାର୍ଯ୍ୟ କରାଯାଇଥିଲା। ହେଲେ ମନ୍ଦିରରେ ଗୋବର ଓ ମାଟି ଲେପି କଦର୍ଯ୍ୟ କରି କରାଯାଇଛି।ଏହି ଖବର ପ୍ରକାଶ ପାଇବା ପରେ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଦେବୋତ୍ତର ସ୍ୱପ୍ନେଶ୍ୱର ମହାଦେବ ଟ୍ରଷ୍ଟ କମିଟିର ସଦସ୍ୟମାନେ ନାପସନ୍ଦ କରିଛନ୍ତି। ଏ ନେଇ ମନ୍ଦିର ଟ୍ରଷ୍ଟ ପକ୍ଷରୁ କାମାକ୍ଷାନଗର ଥାନାରେ ଲିଖିତ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତିକରି ପୁଲିସ୍ ଘଟଣାର ତଦନ୍ତ ଚଳାଇଛି। କିଏ ଓ କାହିଁକି ଏପରି କାର୍ଯ୍ୟ କରିଛି, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ।
ଶୁଣିବାକୁ ମିଳୁଛି ଯେ, କିଛି ଲୋକ ମନ୍ଦିରର ରଙ୍ଗ କାମକୁ ନେଇ ନାପସନ୍ଦ କରିଥିଲେ । ମନ୍ଦିର ରଙ୍ଗ ନୀଳ କରାଯାଉ ବୋଲି କହୁଥିଲେ । ସେମାନେ ଏପରି ହୀନ କାର୍ଯ୍ୟ କରିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି ।
Powered by Froala Editor