ରାମ ମନ୍ଦିର ପ୍ରାଣପ୍ରତିଷ୍ଠା ଉତ୍ସବରେ ବଣ୍ଟାଯିବ ଲକ୍ଷେ ‘ଶ୍ରୀବରୀ ଲଡୁ’
୨୨ ତାରିଖରେ ଅଯୋଧ୍ୟାରେ ହେବାକୁ ଥିବା ରାମ ମନ୍ଦିର ପ୍ରାଣପ୍ରତିଷ୍ଠା ଉତ୍ସବରେ ଅତିଥି ଓ ଶ୍ରଦ୍ଧାଳୁମାନଙ୍କୁ ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ‘ଶ୍ରୀବାରୀ ଲଡୁ’ ପରିବେଷଣ କରାଯିବ।ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଏକ ଲକ୍ଷ ‘ଶ୍ରୀବରୀ ଲଡୁ’ ବଣ୍ଟନ କରିବାକୁ ନିଷ୍ପତ୍ତି ହୋଇଥିବା ଟିଟିଡି ପକ୍ଷରୁ କୁହାଯାଇଛି। ତିରୁପତି ସ୍ଥିତ ବିଶ୍ୱ ପ୍ରସିଦ୍ଧ ଭେଙ୍କଟେଶ୍ୱର ମନ୍ଦିରକୁ ପରିଚାଳନା କରୁଥିବା ତିରୁମାଲା ତିରୁପତି ଦେବସ୍ଥାନମ (TTD) ପକ୍ଷରୁ ଏହି ଘୋଷଣା କରାଯାଇଛି। ‘ଶ୍ରୀବରୀ ଲଡୁ’ ହେଉଛି ଭଗବାନ ଭେଙ୍କଟେଶ୍ୱରଙ୍କ ପ୍ରସିଦ୍ଧ ପ୍ରସାଦ।
ଟିଟିଡିର କାର୍ଯ୍ୟନିର୍ବାହୀ ଅଧିକାରୀ ଏଭି ଧର୍ମା ରେଡ୍ଡୀ କହିଛନ୍ତି, ଭିଭିଆଇପି ଓ ଶ୍ରଦ୍ଧାଳୁମାନଙ୍କୁ ୧ ଲକ୍ଷ ଲଡୁ ବଣ୍ଟାଯିବ। ପ୍ରତ୍ୟେକ ଲଡୁର ଓଜନ ୨୫ ଗ୍ରାମ ରହିବ। ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ଏକ ଐତିହାସିକ ମୁହୂର୍ତ୍ତ ହେବ। ଟିଟିଡିର ମୂଳ ଲକ୍ଷ୍ୟ ହେଉଛି ହିନ୍ଦୁ ଧର୍ମ, ସଂସ୍କୃତି ଓ ମୂଲ୍ୟବୋଧର ପ୍ରଚାର କରିବା। ତେଣୁ ରାମ ଜନ୍ମଭୂମି ପୂଜାରେ ଯୋଗଦେବାର ସୁଯୋଗ ପାଇବା ଆମ ପାଇଁ ଏକ ସମ୍ମାନ କଥା।
ସୂଚନାଯୋଗ୍ୟ, କାର୍ଯ୍ୟକ୍ରମକୁ ମନ୍ଦିର ଟ୍ରଷ୍ଟ୍ ‘ଶ୍ରୀରାମ ଜନ୍ମଭୂମୀ ତୀର୍ଥ କ୍ଷେତ୍ର’ ୭୦୦୦ରୁ ଅଧିକ ଲୋକଙ୍କୁ ନିମନ୍ତ୍ରିତ କରିଛି।
Powered by Froala Editor