ଇସ୍ତଫା ଦେବେ ନାହିଁ ହେମନ୍ତ ସୋରେନ୍

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଇସ୍ତଫା ଦେବେ ନାହିଁ । ଝାଡଖଣ୍ଡର ରାଞ୍ଚିରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏବଂ ଶାସକ ଦଳର ବିଧାୟକଙ୍କ ସହ ବୈଠକ ଶେଷ ହୋଇଛି । ସୋରେନ୍ ତାଙ୍କ ପଦରୁ ଇସ୍ତଫା ନଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ଫଳରେ ତାଙ୍କ ପତ୍ନୀ ମୁଖ୍ୟମନ୍ତ୍ରୀ ହେବା ନେଇ ଚାଲିଥିବା କଳ୍ପନା ଜଳ୍ପନାର ଅବସାନ ଘଟିଛି। ହେମନ୍ତ ଇସ୍ତଫା ଦେଇ ପତ୍ନୀ କଳ୍ପନା ସୋରେନଙ୍କୁ ନୂଆ ମୁଖ୍ୟମନ୍ତ୍ରୀ କରିବା ନେଇ କୁହାଯାଉଥିଲା।
ମନି ଲଣ୍ଡରିଂ ମାମଲାରେ ହେମନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସ୍କାନରରେ ରହିଛନ୍ତି। ଲଗାତାର ଭାବେ ତାଙ୍କୁ ଇଡି ସମନ କରୁଛି। ୭ ଥର ତାଙ୍କୁ ସମନ ପଠାଯାଇଥିଲେ ହେଁ ସେ ହାଜର ହେଉନାହାନ୍ତି। ଏଣୁ ଇଡି ତାଙ୍କୁ ପଚରାଉଚରା ନଚେତ ଗିରଫ କରିପାରେ ବୋଲି କୁହାଯାଉଛି। ଏମିତିରେ ସେ ତାଙ୍କ ପଦରୁ ଇସ୍ତଫା ଦେଇ ପତ୍ନୀଙ୍କୁ ମୁଖ୍ୟମନ୍ତ୍ରୀ କରିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା।
ସୂଚନା ଅନୁସାରେ ବିଧାୟକମାନଙ୍କ ସହ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ଯେ ସୋରେନ ବିଧାୟକ ଦଳ ନେତା ଓ ମୁଖ୍ୟମନ୍ତ୍ରୀ ପଦର ବଜାୟ ରହିବେ । ବୈଠକ ପରେ କଂଗ୍ରେସ ବିଧାୟକ ପ୍ରଦୀପ ଯାଦବ କହିଛନ୍ତି ଯେ ବୈଠକରେ ୪୩ ଜଣ ବିଧାୟକ ଥିଲେ ଏବଂ ଯାହା ସାମ୍ନାକୁ ଆସିଛି ତାହା ହେଉଛି ଆଜି ମଧ୍ୟ ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ଅଛନ୍ତି ଏବଂ ଆଗାମୀ ଦିନରେ ସେ ମୁଖ୍ୟମନ୍ତ୍ରୀ ରହିବେ ।
Powered by Froala Editor