ମାତା ସୀତା ଅଭିଶାପ ଫେରାଇ ନେଇଛନ୍ତି : ରାଜା ସାହେବ
୨୨ ତାରିଖରେ ରାମ ମନ୍ଦିରରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ। ଏଥିପାଇଁ ପୂରା ଅଯୋଧ୍ୟା ଉତ୍ସବ ମୁଖର ହୋଇ ଉଠିଛି। ଏହା ଦେଖି ମାଆ ସୀତା ତାଙ୍କ ଅଭିଶାପ ଫେରାଇ ନେଇଥିବା ପରି ମନେ ହେଉଛି ବୋଲି ସରାଜା ଭାବେ ସୁପରିଚିତ ବିମଳେନ୍ଦ୍ର ମୋହନ ପ୍ରତାପ ମିଶ୍ରା କହିଛନ୍ତି।
ବିମଳେନ୍ଦ୍ର ହେଉଛନ୍ତି ଅଯୋଧ୍ୟାର ରାଜା ଦର୍ଶନ ସିଂହଙ୍କ ପରିବାରର ଦାୟାଦ। ରାଜା ଦର୍ଶନ ସିଂହ ୧୯ ଶତାବ୍ଦୀରେ ଅଯୋଧ୍ୟାରେ ରାଜୁତି କରୁଥିଲେ ବୋଲି କୁହାଯାଏ। ସମ୍ପ୍ରତି ଅଯୋଧ୍ୟାରେ ରାଜା ସାହେବ ଭାବେ ପ୍ରସିଦ୍ଧ ବିମଳେନ୍ଦ୍ର ପ୍ରାରମ୍ଭରୁ ‘ରାମ ଜନ୍ମଭୂମି ଆନ୍ଦୋଳନ’ ସହିତ ଜଡ଼ିତ। ସେ ମଧ୍ୟ ‘ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ୍’ର ସଦସ୍ୟ।
ଜାନୁଆରୀ ୨୨ କାର୍ଯ୍ୟକ୍ରମ ପାଇଁ ଅଯୋଧ୍ୟାର ରୂପାନ୍ତୀକରଣ କରାଯାଉଛି। ସହରକୁ ଗୋଟିଏ ଏୟାରପୋର୍ଟ ମିଳିବାକୁ ଯାଉଥିବା ବେଳେ ରେଳ ଷ୍ଟେସନର ନବୀକରଣ କରାଯାଇଛି। ଶ୍ରଦ୍ଧାଳୁଙ୍କ ପାଇଁ ଷ୍ଟେସନରେ ସବୁ ପ୍ରକାରର ବ୍ୟବସ୍ଥା ହୋଇଛି। ଅଯୋଧ୍ୟା ଜଙ୍କସନର ନାଁକୁ ଅଯୋଧ୍ୟା ଧାମ ଜଙ୍କସନ କରାଯାଇଛି।
ଅଯୋଧ୍ୟାରେ ବିକାଶ ଚାଲିଥିବାରୁ ମିଶ୍ରା କହିଛନ୍ତି, “ବିକାଶକୁ ଦେଖିଲେ ଲାଗୁଛି ଯେ ମା’ ସୀତା ତାଙ୍କ ଅଭିଶାପକୁ ପ୍ରତ୍ୟାହାର କରି ନେଇଛନ୍ତି।” କିଛି ବର୍ଷ ତଳେ ଅଯୋଧ୍ୟାରେ କୌଣସି ଭଲ ହୋଟେଲ ନଥିଲା। କିନ୍ତୁ ଏଠାରେ ଏବେ ପଞ୍ଚତରକା ହୋଟେଲ ନିର୍ମାଣ ପାଇଁ ୧୦୦ରୁ ଅଧିକ ଆବେଦନ ପ୍ରଶାସନ ନିକଟରେ ପହଞ୍ଚିଛି। ରାମ ମନ୍ଦିର ପ୍ରତିଷ୍ଠା ପାଇଁ ପୂରା ଅଯୋଧ୍ୟାକୁ ନୂଆ ରୂପ ଦିଆଯାଉଛି ବୋଲି ରାଜା ସାହେବ ବିମଳେନ୍ଦ୍ର ସୂଚନା ଦେଇଛନ୍ତି।
କୁହାଯାଏ ଯେ ଭଗବାନ ରାମ ଯେତେବେଳେ ମାତା ସୀତାଙ୍କୁ ସନ୍ଦେହ କରି ଅଯୋଧ୍ୟାରୁ ବାହାର କରି ଦେଇଥିଲେ ସେତେବେଳେ ସେ ପୂରା ସହରକୁ ଅଭିଶାପ ଦେଇଥିଲେ। ଏହି ଅଭିଶାପ ଯୋଗୁ ସହରର ବିକାଶ ଦ୍ରୁତ ଗତିରେ ହୋଇପାରୁ ନଥିଲା ବୋଲି ଅନେକ ମତ ରଖନ୍ତି।
Powered by Froala Editor