୩ ଅପରାଧିକ ବିଲ୍ ଉପରେ ରାଷ୍ଟ୍ରପତି ମୋହର
ଲୋକସଭା ଓ ରାଜ୍ୟସଭାରେ ପାରିତ ହୋଇଥିବା ୩ ଅପରାଧିକ ବିଲ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଞ୍ଜୁରୀ ଦେଇଛନ୍ତି। ଗତ ସପ୍ତାହରେ ପାର୍ଲାମେଣ୍ଟର ଉଭୟ ସଦନରେ ପାରିତ ହୋଇଥିବା ୩ ନୂଆ କ୍ରିମିନାଲ ବିଲ୍ ଯଥା ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଭାରତୀୟ ସାକ୍ଷ୍ୟ ଅଧିନିୟମକୁ ସୋମବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୋହର ମାରିଛନ୍ତି। ଏହାର ଅର୍ଥ ଏବେ ଏହା ଆଇନର ପରିଣତ ହୋଇଛି।
ବ୍ରିଟିଶ ଅମଳରୁ ଲାଗୁ ହେଉଥିବା ଆଇପିସି, ସିଆରପିସି ଓ ପ୍ରମାଣ ଆଇନ ଲୋପ ପାଇଛି। ଏଣିକି ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ଓ ଭାରତୀୟ ସାକ୍ଷ୍ୟ ଆଇନ ଦେଶରେ ଲାଗୁ ହେବ। ଏହାକୁ ଆଧାର କରି ଦୋଷୀଙ୍କୁ ଦଣ୍ଡବିଧାନ କରାଯିବ।
ଡିସେମ୍ବର ୨୦ ଏହି ବିଲ ଲୋକସଭା ଓ ୨୧ ତାରିଖରେ ରାଜ୍ୟସଭାରେ ପାସ୍ ହୋଇଥିଲା। ଶୀତ ଅଧିବେଶନରୁ ଅଧିକାଂଶ ବିରୋଧୀ ନିଲମ୍ବିତ ହେବା ସତ୍ତ୍ୱେ ଉଭୟ ଗୃହରେ ଏହି ୩ ବିଲକୁ ପାରିତ କରାଯାଇଥିଲା।
ବିଲ୍ଗୁଡ଼ିକୁ ପ୍ରଶଂସା କରି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ନୂଆ ଯୁଗର ଆରମ୍ଭ ହୋଇଥିବା କହିଥିଲେ। ଭାରତର ନାଗରିକଙ୍କୁ ସମୟସୀମା ମଧ୍ୟରେ ନ୍ୟାୟ ଦେବା ଲକ୍ଷ୍ୟରେ ଏବଂ ସେମାନଙ୍କ ମାନବାଧିକାରର ସୁରକ୍ଷା ଦେବା ନିମନ୍ତେ ଉପରୋକ୍ତ ୩ ବିଲ୍ ଅଣାଯାଇଥିବା ଶାହା କହିଥିଲେ।
Powered by Froala Editor