ପବିତ୍ର ବଡ ଦିନର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଆଜି ପବିତ୍ର ବଡ ଦିନ ବା ଖ୍ରୀଷ୍ଟମାସ । ଏନେଇ ଚଳଚଞ୍ଚଳ ହୋଇ ଉଠିଛି ଚର୍ଚ୍ଚ । ରବିବାର ମଧ୍ୟରାତ୍ରରେ ଧରାବତରଣ କରିଛନ୍ତି ପ୍ରଭୁ ଯିଶୁ ଖ୍ରୀଷ୍ଟ । ଖ୍ରୀଷ୍ଟ ଧର୍ମାବଲମ୍ବୀ ମାନେ ପରସ୍ପରକୁ କେକ ଖୁଆଇ ଖ୍ରୀଷ୍ଟମାସର ଶୁଭେଚ୍ଛା ଜଣାଇବା ସହ ଶାନ୍ତି ଓ ଐକ୍ୟର ବାର୍ତ୍ତା ବାଣ୍ଟୁଛନ୍ତି । ପ୍ରଭୁ ଯିଶୁଖ୍ରୀଷ୍ଟ ଧରାବତରଣ କରିବା ପରେ ଖୁସିରେ ବିମୋହିତ ହୋଇଛନ୍ତି ଖ୍ରୀଷ୍ଟ ସମ୍ପ୍ରଦାୟ । ଏହି ଅବସରରେ ଚର୍ଚ୍ଚ ଗୁଡିକରେ ସାଜସଜ୍ଜା କରାଯାଇଥିବା ବେଳେ ଘରେ ଘରେ ଜମିଛି ପୀଠାପଣାର ଆସର । ଖ୍ରୀଷ୍ଟମାସ ଟ୍ରିକୁ ସଜାଇ ଖ୍ରୀଷ୍ଟମାସ ପାଳନ କରୁଛନ୍ତି ଖ୍ରୀଷ୍ଟ ଧର୍ମାବଲମ୍ବୀ । ଖ୍ରୀଷ୍ଟମାସ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
•
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏକ୍ସରେ ଟ୍ବିଟ କରି ଲେଖିଛନ୍ତି, "ସମସ୍ତଙ୍କୁ ଖ୍ରୀଷ୍ଟମାସର ଶୁଭେଚ୍ଛା । ଏହି ପର୍ବ ପରସ୍ପର ମଧ୍ୟରେ ଏକତା, ପ୍ରେମ ଏବଂ ଐକତାର ବାର୍ତ୍ତା ବାଣ୍ଟୁଛି । ଆସନ୍ତୁ ଆମେ ଯୀଶୁ ଖ୍ରୀଷ୍ଟଙ୍କ ଅବଦାନକୁ ମନେ ପକାଇବା ଏବଂ ସମସ୍ତଙ୍କ ସୁସ୍ଥତା ଏବଂ ସମୃଦ୍ଧତା ପାଇଁ ମିଳିତ ଭାବରେ କାର୍ୟ୍ୟ କରିବାକୁ ସଂକଳ୍ପ ନେବା ।"
ପ୍ରଧାନମନ୍ତ୍ରୀ ଟ୍ବିଟ କରି ଲେଖିଛନ୍ତି, "ଦେଶବାସୀଙ୍କୁ ଖ୍ରୀଷ୍ଟମାସର ଶୁଭେଚ୍ଛା । ଏହିପର୍ବ ସମସ୍ତଙ୍କ ପାଇଁ ଖୁସି, ଶାନ୍ତି ଏବଂ ସମୃଦ୍ଧତା ଆଣୁ । ଖ୍ରୀଷ୍ଟମାସର ପ୍ରତୀକ ହେଉଛି ସଦଭାବ ଓ ଦୟା । ଆସନ୍ତୁ ସମସ୍ତେ ଏହି ପର୍ବକୁ ପାଳନ କରିବା ଓ ସଦ୍ଭାବ ଓ ଦୟା ଭାବନାକୁ ଆଗକୁ ନେବା । ଏମିତି କିଛି ଦୁନିଆ ପାଇଁ କାମ କରିବା ଯେଉଁଥିରେ ସମସ୍ତେ ଖୁସି ଓ ସୁସ୍ଥ ରହିବେ ।"
Powered by Froala Editor