ଲଘୁଚାପ ଯୋଗୁଁ ଆସୁଛି ବଡ଼ ବର୍ଷା: ପ୍ରବଳରୁ ଅତି ପ୍ରବଳ ବର୍ଷିବ, ସତର୍କ କଲେ ଏସ୍ଆର୍ସି

ମୌସୁମୀ ଆସିବା ଆଗରୁ ଲଘୁଚାପ ଯୋଗୁଁ ବର୍ଷା ସମ୍ଭାବନା ରହିଛି । ୧୦ରୁ ୧୪ ତାରିଖ ଯାଏ ପ୍ରବଳ ବର୍ଷା ଆଶଙ୍କା ରହିଛି । ଏମିତିକି ପ୍ରବଳରୁ ଅତି ପ୍ରବଳ ବର୍ଷା ଯୋଗୁଁ ବନ୍ୟା ଭଳି ସ୍ଥିତି ବି ଉପୁଜିପାରେ । ତେଣୁ ସବୁ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିସନରଙ୍କୁ ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନର (ଏସଆରସି)ଙ୍କ ପକ୍ଷରୁ ଚିଠି ଲେଖି ସତର୍କ କରାଯାଇଛି ।
ଭାରତୀୟ ପାଣିପାଗ ବିଭାଗର ରିପୋର୍ଟ ଅନୁସାରେ, ବଙ୍ଗୋପସାଗରରେ ଏକ ସାଇକ୍ଲୋନିକ ସର୍କୁଲେସନ ସୃଷ୍ଟି ହୋଇଛି । ଆସନ୍ତା ୧୧ ତାରିଖ ବେଳକୁ ଏହା ଏକ ଲଘୁଚାପରେ ପରିଣତ ହେବ ଓ ପରବର୍ତ୍ତୀ ୨୪ ଘଣ୍ଟାର ଆହୁରି ଚିହ୍ନିତ ହେବ । ଏହି ଲଘୁଚାପ ପ୍ରଭାବରେ ୧୦ ତାରିଖଠାରୁ ଆରମ୍ଭ କରି ଜୁନ ୧୫ ପର୍ୟ୍ୟନ୍ତ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୧୪ ତାରିଖ ପର୍ୟ୍ୟନ୍ତ ଓଡ଼ିଶାର ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯ଼ାଇଛି ।
ଆସନ୍ତା ୧୦ ଜୁନରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ସୁନ୍ଦରଗଡ, ଝାରସୁଗୁଡା, ଦେବଗଡ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରପଡା, ଜଗତସିଂହପୁରରେ ବର୍ଷା ସମ୍ଭାବନା ରହିଛି । ସେହିପରି ୧୧ ଜୁନରେ କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁରରେ ବର୍ଷା ସମ୍ଭାବନା ରହିଛି । ଜୁନ ୧୨ରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ଅନୁଗୁଳ, ଢେଙ୍କାନାଳରେ ବର୍ଷା ଆଶଙ୍କା ରହିଛି ।
ପ୍ରବଳରୁ ଅତି ପ୍ରବଳ ବର୍ଷା ଯୋଗୁ କେତେକ ଜାଗାରେ ଭୂସ୍ଖଳନ ହେବାର ସମ୍ଭାବନା ରହିଛି। ତେଣୁ ସେହି ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତରଣ କରିବାକୁ କୁହାଯାଇଛି। ଲୋକଙ୍କୁ ସ୍ଥାନାନ୍ତରଣ ପାଇଁ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବାକୁ ଏସ୍ଆସି ନିର୍ଦ୍ଦେଶ ଦେଇଛନ୍ତି। ବିପଜ୍ଜନକ ନଦୀ ବନ୍ଧ ପ୍ରତି ନଜର ରଖିବାକୁ ବିଭାଗୀୟ ଯନ୍ତ୍ରୀଙ୍କୁ ଏସ୍ଆର୍ସି ତାଗିଦ କରିଛନ୍ତି। ଡଙ୍ଗା ଓ ଯନ୍ତ୍ରାଂଶ ସହ ଅଗ୍ନିଶମ ବାହିନୀକୁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସହରାଞ୍ଚଳ ଓ ତଳି ଅଞ୍ଚଳରେ ବର୍ଷା ପାଣି ଜମିବା ସମ୍ଭାବନା ରହିଛି। ତେଣୁ ଏହାର ମୁକାବିଲା କରିବା ପାଇଁ ସତର୍କ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସ୍ଆର୍ସି। ବନ୍ୟା କଥା ବୁଝୁଥିବା ସବୁ ଅଫିସ୍ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ କରିବେ। ଏହି ସମୟ ଭିତରେ ସମୁଦ୍ର ଭିତରକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦେଇଛନ୍ତି ଏସ୍ଆର୍ସି।
Powered by Froala Editor