କରୋନା ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଆଲର୍ଟ ଜାରି

ନୂଆଦିଲ୍ଲୀ: ଦେଶରେ ପୁଣି ମୁଣ୍ଡ ଟେକିଛି କୋରୋନା ଭାଇରସ । ସମଗ୍ର ବିଶ୍ବରେ କୋଭିଡ ମାମଲା ଦୃତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ନୂଆ ଭାରିଆଣ୍ଟକୁ ନେଇ ଚିନ୍ତା ବୃଦ୍ଧି ପାଉଥିବା ବେଳେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଆଲର୍ଟ ଜାରି କରାଯାଇଛି । ଗତ ଏକ ମାସ ମଧ୍ୟରେ ସର୍ବ ଭାରତୀୟ ସ୍ତରରେ କୋଭିଡ ମାମଲା ୫୨ ପ୍ରତିଶତ ବୃଦ୍ଧି ପାଇଥିବା ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି । ତେବେ ଏହି ତଥ୍ୟ ଏକ ଚିନ୍ତାଜନକ ହୋଇଥିବା ବେଳେ କୋରୋନାକୁ ହାଲୁକା ଭାବେ ନନେଇ ସତର୍କ ରହିବା ଉଚିତ ବୋଲି କୁହାଯାଇଛି।
ହୁର ତଥ୍ୟ ଅନୁସାରେ, ଗତ ଏକ ମାସ ମଧ୍ୟରେ ସମଗ୍ର ବିଶ୍ବରେ ୮,୫୦,୦୦୦ ନୂତନ ମାମଲା ପଞ୍ଜିକୃତ ହୋଇଛି । ତେବେ କୋଭିଡ ପଡିଟିଭ ହାର ବୃଦ୍ଧି ପାଉଥିବା ବେଳେ ଏହାସହ ତାଳ ଦେଇ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଗତ ୨୮ ଦିନରେ ମୃତ୍ୟୁ ସଂଖ୍ୟା ମଧ୍ୟ ୮ ପ୍ରତିଶତ ବୃଦ୍ଧି ପାଇଥିବା କୁହାଯାଇଛି । ଡିସେମ୍ବର ୧୭ ତାରିଖ ସୁଦ୍ଧା ସାରା ବିଶ୍ବରେ ୭୭୨ ମିଲିୟନ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୭ ମିଲିୟନ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ରିପୋର୍ଟରେ ଉଲ୍ଲେଖ କରିଛି ।ଅନ୍ୟପଟେ ୧୧୮୦୦୦ ସଂକ୍ରମିତ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ୧୬୦୦ ସଂକ୍ରମିତ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି । ତେବେ ହସ୍ପିଟାଲରେ ଭର୍ତ୍ତି ସଂକ୍ରମିତଙ୍କ ହାର ୨୩ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ଆଇସିୟୁରେ ଚିକିତ୍ସିତଙ୍କ ହାର ୫୧ ପ୍ରତିଶତ ବୃଦ୍ଧି ପାଇଥିବା ନେଇ ଦର୍ଶାଯାଇଛି ।
କୋରୋନା ସହିତ ଏହାର ନୂଆ ଭାରିଆଣ୍ଟ ଜେଏନ ୧ ମୁଣ୍ଡବ୍ୟଥାର କାରଣ ସାଜିଛି । ବର୍ତ୍ତମାନ ସୁଦ୍ଧା ୫୦ରୁ ଅଧିକ ଦେଶରେ ବ୍ୟାପିଛି ଏହି ଭାଇରସ । ବର୍ତ୍ତମାନ ସୁଦ୍ଧା ଭାରତରେ ଜେଏନ ୧ ସଂକ୍ରମିତଙ୍କ ସଂଖ୍ୟା ୨୨ରେ ପହଞ୍ଚିଥିବା ବେଳେ ଏହି ନୂଆ ଭାରିଆଣ୍ଟ ଦ୍ରୁତ ଗତିରେ ବ୍ୟାପୁଥିବା କୁହାଯାଇଛି ।
Powered by Froala Editor