କଟକ ବଡ଼ ମେଡିକାଲରେ କୁଖ୍ୟାତ ଗ୍ୟାଙ୍ଗ୍ଷ୍ଟର୍ ସୁଶାନ୍ତ ଧଳସାମନ୍ତ
କଟକ: ବୁର୍ଲା ଭିମ୍ସାରରେ ପାଞ୍ଚଦିନର ଚିକିତ୍ସା ପରେ କୁଖ୍ୟାତ ଗ୍ୟାଙ୍ଗ୍ଷ୍ଟର୍ ସୁଶାନ୍ତ ଧଳସାମନ୍ତକୁ ଗୁରୁବାର ସନ୍ଧ୍ୟାରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସନ୍ଧ୍ୟା ୬ଟା ୩୦ରେ କଡ଼ା ସୁରକ୍ଷା ବଳୟରେ ଆଡ୍ଭାନ୍ସ ଲାଇଫ୍ ସପୋର୍ଟ ସିଷ୍ଟମ୍ ବା ଉନ୍ନତ ଜୀବନ ସହାୟକ ବ୍ୟବସ୍ଥା ଥିବା ସରକାରୀ ଆମ୍ବୁଲାନ୍ସରେ ତାକୁ କଟକ ଅଭିମୁଖେ ନିଆଯାଇଛି ।
ସିଭିଅର୍ ହୃଦ୍ଘାତ ଏବଂ ଉଚ୍ଚ ମଧୁମେହ ରୋଗରେ ଆକ୍ରାନ୍ତ ହୋଇଥଇବାରୁ ସୁଶାନ୍ତକୁ ୧୭ ତାରିଖ ବଲାଙ୍ଗିର ଡାକ୍ତରଖାନାରୁ ଭିମସାରକୁ ଅଣାଯାଇଥିଲା । ଏଠାରେ ଚିକିତ୍ସା ପରେ ସୁଶାନ୍ତର ସ୍ୱାସ୍ଥ୍ୟାବସ୍ଥା ସାମାନ୍ୟ ସ୍ଥିର ରହିଛି । ହେଲେ ସ୍ୱାସ୍ଥ୍ୟଗତ ଜଟିଳତା ଯୋଗୁଁ ଅଧିକ ଚିକିତ୍ସା ଲାଗି କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଡାକ୍ତରଖାନା ସୂତ୍ରରୁ ପ୍ରକାଶ ।
ଗୁରୁବାର ସନ୍ଧ୍ୟାରେ ଭିମସାରରୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଗ୍ୟାଙ୍ଗଷ୍ଟାର ସୁଶାନ୍ତକୁ କଟକ ନିଆଯାଇଛି । ସୁରକ୍ଷା ଦୃଷ୍ଟିରୁ ପଛପଟ ଗେଟ୍ ଦେଇ ଆମ୍ବୁଲାନ୍ସକୁ ଡାକ୍ତରଖାନାରୁ ବାହାର କରାଯାଇଥିଲା । ବୁର୍ଲାରୁ କଟକ ମଧ୍ୟରେ ଯେତିକି ଜିଲ୍ଲା ଦେଇ ଆମ୍ବୁଲାନ୍ସ ଯାତ୍ରା କରିବ ସମସ୍ତ ଜିଲ୍ଲାର ଏସ୍ପିମାନଙ୍କୁ ଆଲର୍ଟ କରାଯାଇଛି । କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ନିଜ ନିଜ ଏରିଆ ପାର୍ କରାଇବାକୁ ନିର୍ଦ୍ଦେଶ ରହିଛି ।
Powered by Froala Editor