ଚିଲିକା ଉପକୂଳରେ ନୂତନ ପ୍ରଜାତିର ଉଭୟଚର ସାମୁଦ୍ରିକ ଜୀବ ଚିହ୍ନଟ
ଭୁବନେଶ୍ବର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସାମୁଦ୍ରିକ ବିଜ୍ଞାନ ବିଭାଗ ପକ୍ଷରୁ ଚିଲିକା ଉପକୂଳରେ ନୂତନ ପ୍ରଜାତିର ଉଭୟଚର ସାମୁଦ୍ରିକ ଜୀବ ଚିହ୍ନଟ ହୋଇଛି। ସହକାରୀ ପ୍ରଫେସର ଶେଷଦେବ ପାତ୍ରଙ୍କ ତତ୍ତ୍ବାବଧାନରେ ବିଭାଗର ଗବେଷିକା ଗୀତାଞ୍ଜଳି ଭୋଇ ଏବଂ ଲିପିକା ତରଫଦାର୍ ଚିଲିକା ଉପକୂଳରୁ ଚଳିତବର୍ଷ ଜାନୁଆରି ୨୨ରେ ଏହାକୁ ଆଣି ଏଠାରେ ବିଭିନ୍ନ ପରୀକ୍ଷାନିରୀକ୍ଷା କରିଥିଲେ। ଏଥିରେ ପ୍ରଫେସର ଆଲାନ୍ ମାୟର୍ସ ସହଯୋଗ କରିଥିଲେ। ଏହି ପ୍ରଜାତିର ଜୀବ ସମୁଦ୍ର ଉପକୂଳବର୍ତ୍ତୀ ସନ୍ତସନ୍ତିଆ ସ୍ଥାନରେ ରୁହନ୍ତି। ମହିଳା ପ୍ରଜାତିମାନେ ୬ରୁ ୭ଟି ଅଣ୍ଡା ଦେଇଥାନ୍ତି ଏବଂ ଏମାନଙ୍କ ଆକାର ଚିଙ୍ଗୁଡ଼ି ଭଳି ଦେଖାଯାଇଥାଏ। ଏମାନେ ଉଭୟ ଜଳ ଓ ସ୍ଥଳରେ ରହିଥାନ୍ତି। ୧୩ ଯୋଡ଼ି ଗୋଡ଼ ବିଶିଷ୍ଟ ଏହି ଜୀବର ରଙ୍ଗ ଧୂସର, ଧଳା ଏବଂ ଫିକା ହଳଦିଆ। ଏମାନେ ବିଷାକ୍ତ ହୋଇ ନଥିବାରୁ ମାଛ ଓ ପକ୍ଷୀମାନେ ଖାଦ୍ୟ ଭାବେ ଏହାକୁ ବ୍ୟବହାର କରିଥାନ୍ତି। ଏହାର ଲମ୍ବ ପ୍ରାୟ ୧୫ ମିଲିମିଟର ବୋଲି ଗବେଷଣାରୁ ଜଣାପଡ଼ିଛି। ପ୍ରଫେସର ଆଲାନ୍ ମାୟର୍ସଙ୍କ ନାମରେ ଏହାର ନାମକରଣ ଡେମୋରଚେଷ୍ଟିଆ ଆଲାନେନସିସ୍ ରଖାଯାଇଛି। ଏହି ଉଭୟଚରର ବିବରଣୀ ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ ଜର୍ଣ୍ଣାଲ୍ ‘ଜୁ ଟାକ୍ସା’ରେ ପ୍ରକାଶିତ ହୋଇଛି।
Powered by Froala Editor