ଟାଙ୍ଗିଆରେ ହାଣି ସ୍ତ୍ରୀର ମୁଣ୍ଡ-ଗଣ୍ଡି ଅଲଗା କରିଦେଲା ନୃଶଂସ ସ୍ବାମୀ
ଦଶପଲ୍ଲା: ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍ ତଥା ବାଣିଗୋଛା ଥାନା ଅଞ୍ଚଳରେ ସ୍ତ୍ରୀର କଟାମୁଣ୍ଡ ଧରି ଥାନାରେ ପହଞ୍ଚିଛି ସ୍ବାମୀ। ଏଭଳି ଏକ ବୀଭତ୍ସ ହତ୍ୟାକାଣ୍ତ ଦଶପଲ୍ଲା ଅଞ୍ଚଳକୁ ସ୍ତବ୍ଧ କରିଦେଇଛି। ପାରିବାରିକ କଳହକୁ କେନ୍ଦ୍ରକରି ଜଣେ ସ୍ବାମୀ ଏତେ ଯେ ନୃଶଂସ ହୋଇପାରେ ତାହା ସମସ୍ତଙ୍କ କଳ୍ପନା ବାହାରେ ବୋଲି ଚର୍ଚ୍ଚା ଜୋର୍ ଧରିଛି। ହତ୍ୟାକାଣ୍ତ ପରେ ଏକ ବସ୍ତାରେ ସ୍ତ୍ରୀର ମୁଣ୍ତ ଓ ଟାଙ୍ଗିଆକୁ ଧରି ଥାନାରେ ଆତ୍ମ ସମର୍ପଣ କରିଛି ଯୁବକ। ବାଣିଗୋଛା ଥାନା ଅଧିକାରୀ ଲକ୍ଷ୍ମଣ ଦଣ୍ତସେନାଙ୍କ ସମେତ ଏସ୍ଡିପିଓ ସ୍ନେହାଶିଷ ସାହୁ ଏବଂ ଦଶପଲ୍ଲା ଥାନା ଅଧିକାରୀ ମୁକେଶ କୁମାର ବେହେରା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, କୁଜାମେଣ୍ଢି ପଞ୍ଚାୟତର ବିଡ଼ାପାଜୁ ଗ୍ରାମର ହରିଶ୍ଚନ୍ଦ୍ର ବାଘଙ୍କ ପୁଅ ଅର୍ଜୁନ ବାଘ (୩୩) ଏବଂ ସ୍ତ୍ରୀ ଧରିତ୍ରୀ ବାଘ (୨୬)ଙ୍କ ମଧ୍ୟରେ କଳହ ଆରମ୍ଭ ହୋଇଥିଲା। ପୂର୍ବରୁ ଅର୍ଜୁନ ସ୍ତ୍ରୀର ପରକୀୟା ପ୍ରୀତି ରହିଥିବା ସନ୍ଦେହ କରୁଥିବା ବେଳେ ବିବାଦ ସୃଷ୍ଟି ହୋଇଥିଲା। ସ୍ତ୍ରୀ ଧରିତ୍ରୀ କୁଆଡ଼େ ସ୍ବାମୀ ଅର୍ଜୁନକୁ ବିଷଦେଇ ହତ୍ୟା କରିବ ବୋଲି କହିବା ପରେ ଝଗଡ଼ା ବଢ଼ିବାରୁ ଅର୍ଜୁନ ଏକ ଟାଙ୍ଗିଆ ଆଣି ସ୍ତ୍ରୀର ମୁଣ୍ଡ-ଗଣ୍ଡି ଅଲଗା କରିଦେଇଥିଲା। ଘଟଣାସ୍ଥଳରୁ ମୃତଦେହ ଜବତ ହୋଇଥିବା ପୁଲିସ କହିଛି। ଉଭୟଙ୍କର ଏକ ୫ ବର୍ଷର ପୁଅ ଏବଂ ୩ ମାସର ଝିଅ ରହିଛି।
Powered by Froala Editor