ଛାଡ଼ପତ୍ର ଯୋଗୁଁ ହରାଇବାକୁ ପଡ଼ିଲା ‘ମିସେସ ଶ୍ରୀଲଙ୍କା’ ଟାଇଟଲ
କଲମ୍ବୋ: ‘ମିସେସ ଶ୍ରୀଲଙ୍କା’ ଟାଇଟଲ ପ୍ରଦାନ ସମୟରେ ଏକ ଅପ୍ରୀତିକର ଘଟଣା ଘଟିଛି । ରବିବାର ଟାଇଟଲ ବିଜୟିନୀ ପୁଷ୍ପିକା ଡି ସିଲଭାଙ୍କୁ ମୁକୁଟ ପିନ୍ଧାଇବା ସମୟରେ ନେଲୁମ ପୋକୁନା ମହିନ୍ଦା ରାଜପକ୍ଷେ ଥିଏଟର ଉତ୍ସବସ୍ଥଳ ଉଛୁଳି ପଡ଼ୁଥିଲା । ଶ୍ରୀଲଙ୍କାରେ ଜାତୀୟ ଟେଲିଭିଜନରେ ଏହି କାର୍ଯ୍ୟକ୍ରମ ସିଧା ପ୍ରସାରଣ ଚାଲିଥିଲା । ଏହି ସମୟରେ ପୁଷ୍ପିକାଙ୍କୁ ମୁକୁଟ ପିନ୍ଧାଉଥିବା ୨୦୧୯ ମିସେସ ୱାଲର୍ଡ ବିଜେତା କ୍ୟାରୋଲିନ ଜୁରି ଅପ୍ରତ୍ୟାଶିତ ଭାବେ ତାଙ୍କ ମୁଣ୍ଡରୁ ମୁକୁଟ କାଢ଼ି ନେଇ ରନର୍ସ ଅପ ହୋଇଥିବା ପ୍ରତିଦ୍ୱନ୍ଦ୍ୱୀଙ୍କୁ ମୁକୁଟ ପିନ୍ଧାଇଥିଲେ । ସେ ଅଭିଯୋଗ କରିଥିଲେ ଯେ ‘୩୧ ବର୍ଷୀୟା ପୁଷ୍ପିକା ଛାଡପତ୍ର ପାଇଥିବାରୁ ‘ମିସେସ ଶ୍ରୀଲଙ୍କା’ ପ୍ରତିଦ୍ୱନ୍ଦ୍ୱିତା ପାଇଁ ଯୋଗ୍ୟା ନୁହନ୍ତି । ତାଙ୍କୁ ଏହି ଟାଇଟଲ ମିଳିପାରିବ ନାହିଁ । ମୁକୁଟ କାଢ଼ିବା ସମୟରେ ପୁଷ୍ପିକାଙ୍କ ମୁଣ୍ଡରେ ସାମାନ୍ୟ ଆଘାତ ଲାଗିଥିଲା । ଏହି ଘଟଣା ଉପସ୍ଥିତ ଜନତାଙ୍କୁ ହତବାକ କରିଦେଇଥିଲା । ଏହି ସମୟରେ ପୁଷ୍ପିକା ତୁରନ୍ତ ଉତ୍ସବସ୍ଥଳ ଛାଡ଼ି ଚାଲିଯାଇଥିଲେ । ଏଥିସହିତ ସେ ଛାଡ଼ ପତ୍ର ନେଇ ନଥିବା କହିବା ସହ ଘଟଣାକୁ ଅନୁଚିତ ଓ ଅପମାନ ଜନକ ବୋଲି ଦର୍ଶାଇଥିଲେ । ଏଭଳି ଅପମାନ ପାଇଁ ସେ ଆଇନର ଆଶ୍ରୟ ନେବେ ବୋଲି କହିଛନ୍ତି । ଘଟଣା ପରେ ଆୟୋଜକଙ୍କ ପକ୍ଷରୁ କୁହାଯାଇଛି ଯେ ପୁଷ୍ପିକା ବିବାହ ପରେ ଅଲଗା ରହୁଛନ୍ତି କିନ୍ତୁ ଛାଡ଼ପତ୍ର ନେଇନାହାନ୍ତି ।