୨୪ଘଣ୍ଟାରେ ବାତ୍ୟା ସମ୍ଭାବନା
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତଟି ଘନୀଭୂତ ହୋଇ ଆଜି ଗଭୀର ଅବପାତରେ ପରିଣତ ହୋଇଛି। ଆଗାମୀ ୨୪ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ଏକ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ଆସନ୍ତାକାଲି ଅର୍ଥାତ ୩ ତାରିଖରୁ ୭ ତାରିଖ ଯାଏଁ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି।
ପାଣିପାଗକେନ୍ଦ୍ରର ସୂଚନା ଅନୁସାରେ, ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତଟି ପୁଡୁଚେରୀ ଠାରୁ ୫୦୦କିମି, ଚେନ୍ନାଇ ଠାରୁ ୫୧୦ କିମି ଦୂରରେ ଅବସ୍ଥିତ ରହିଛି। ଆଗାମୀ ୨୪ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ଏକ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ଏହି ସମ୍ଭାବ୍ୟ ବାତ୍ୟାଟି ୪ ତାରିଖରେ ଦକ୍ଷିଣ ଆନ୍ଧ୍ର ଓ ଉତ୍ତର ତାମିଲନାଡୁ ଉପକୂଳ ନିକଟତର ହେବ। ୫ ତାରିଖରେ ନେଲୋର ଓ ମଛଲିପଟ୍ଟନମ ଉପକୂଳ ଦେଇ ଅତିକ୍ରମ କରିବ। ଏହା ଅତିକ୍ରମ କରିବା ବେଳେ ପବନର ବେଗ ସର୍ବାଧିକ ୧୦୦ କିମି ରହିବ। ଏହି ସମ୍ଭାବ୍ୟ ବାତ୍ୟା ପ୍ରଭାବ ଓଡ଼ିଶା ଉପରେ ପଡ଼ିବ। ଏହା ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଆସନ୍ତାକାଲି ଅର୍ଥାତ ୩ ତାରିଖରୁ ୭ ତାରିଖ ଯାଏଁ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ୫ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବିସ୍ତୃତି ବଢ଼ିବ। ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ। ଏଥିପାଇଁ ୪ ତାରିଖ ସନ୍ଧ୍ୟାରୁ ସମୁଦ୍ର ଭିତରକୁ ଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ବାରଣ କରାଯାଇଛି।
Powered by Froala Editor