ଦ୍ୱିତୀୟ ଲହର ପୁଣି ବୃଦ୍ଧି ପାଇବା ନେଇ ସମ୍ଭାବନା
ନୂଆଦିଲ୍ଲୀ: କୋଭିଡ-୧୯ ସଂକ୍ରମଣର ଦ୍ୱିତୀୟ ଲହର ଶିଥିଳ ପଡ଼ିଥାଇପାରେ । କିନ୍ତୁ ଏହା ଶେଷ ହୋଇଛି ବୋଲି କୁହାଯାଇ ପାରିବ ନାହିଁ । ଏବେ ବି ଏହା ପୁଣି ବୃଦ୍ଧି ପାଇବା ନେଇ ଯଥେଷ୍ଟ ସମ୍ଭାବନା ରହିଛି । ହାର୍ଭାର୍ଡ ଟି.ଏଚ ଚୀନ ସ୍କୁଲ ଅଫ ପବ୍ଲିକ ହେଲଥର ମହାମାରୀ ପ୍ରଫେସର ତଥା ପବ୍ଲିକ ହେଲଥ ଫାଉଣ୍ଡେସନ ଅଫ ଇଣ୍ଡିଆର ସଭାପତି କେ.ଶ୍ରୀନାଥ ରେଡ୍ଡି ଏଭଳି ମତପୋଷଣ କରିଛନ୍ତି । ରେଡ୍ଡୀ କହିଛନ୍ତି ସଂକ୍ରମଣର ଦ୍ୱିତୀୟ ଲହର ଶିଥିଳ ପଡ଼ିଥିବା ନେଇ ବିଭିନ୍ନ ସଂକେତରୁ ବୁଝାପଡ଼ିଛି । ଦୈନିକ ସଂକ୍ରମଣ ହ୍ରାସ ପାଉଛି । ପ୍ରକୃତ କୋଭିଡ ପରୀକ୍ଷା ନେଇ ଅନେକ ଚ୍ୟାଲେଞ୍ଜ ଥିଲେ ହେଁ ସଂକ୍ରମଣ ମାମଲା ତଳମୁହାଁ ହେଉଛି ବୋଲି ଧରି ନେବାକୁ ହେବ । ସଂକ୍ରମଣ ଜନିତ ମୃତୁ୍ୟ ସଂଖ୍ୟା ବି ହ୍ରାସ ପାଇବା ସହ ଟେଷ୍ଟ ପଜିଟିଭିଟି ହାର କମିଛି । ଆହୁରି ମଧ୍ୟ ଦେଶର କେତେକ ରାଜ୍ୟରେ ହସ୍ପିଟାଲ ଗୁଡ଼ିକରେ ଖାଲି ଶଯ୍ୟା ସଂଖ୍ୟା ବଢ଼ିଛି । ନୂଆ ରୋଗୀ ଭର୍ତ୍ତି ସଂଖ୍ୟା ଆଉ ସେତେ ନାହିଁ । ତେଣୁ ଆଗକୁ ସଂକ୍ରମଣ ଆହୁରି ଖସିବ ବୋଲି କୁହାଯାଉଛି ।
Powered by Froala Editor