ଏନ୍କାଉଣ୍ଟର୍ ସମୟରେ ଧରାପଡ଼ିଲେ ୨ ମାଓବାଦୀ
ତିରୁଅନନ୍ତପୁରମ୍: ମଙ୍ଗଳବାର ରାତିରେ କେରଳର ୱାୟନାଡ଼ ଜିଲ୍ଲାରେ ଏନ୍କାଉଣ୍ଟର୍ ସମୟରେ କେରଳ ପୁଲିସ ୨ଜଣ ମାଓବାଦୀଙ୍କୁ ଧରିଥିବା କଥା କହିଛି। ପୁଲିସ ସୂତ୍ରରୁ ପ୍ରକାଶ, କେରଳ ପୁଲିସର ‘ସ୍ପେସାଲ୍ ଅପରେସନ୍ସ୍ ଟିମ୍’ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଥିଲା। ଧରା ପଡ଼ିଥିବା ୨ଜଣ ମାଓବାଦୀଙ୍କୁ ହାଜତକୁ ନିଆଯାଇଛି। ଅନ୍ୟମାନଙ୍କୁ ଧରିବା ପାଇଁ ଏବେ ମଧ୍ୟ ଘଟଣାସ୍ଥଳରେ ତଲାସ ଜାରି ରହିଛି।
ତଳପୁଜା ଅଞ୍ଚଳରେ ପହଞ୍ଚିଥିବା ଏକ ୫ଜଣିଆ ମାଓବାଦୀ ଦଳକୁ ଗତରାତିରେ ‘ସ୍ପେସାଲ୍ ଅପରେସନ୍ ଗ୍ରୁପ୍’ (ଏସ୍ଓଜି) ଏବଂ ‘ଥଣ୍ଡର୍ବୋଲ୍ଟ୍ ସ୍କ୍ବାଡ୍’ ଘେରି ଯାଇଥିଲେ। ପ୍ରାୟ ୩୦ ମିନିଟ୍ କାଳ ଗୁଳି ବିନିମୟ ପରେ ଯବାନମାନେ ଚନ୍ଦ୍ରୁ ଓ ଉନ୍ନିମୟା ନାମରେ ୨ଜଣ ସଶସ୍ତ୍ର ମାଓବାଦୀଙ୍କୁ ଧରି ପକାଇଥିଲେ। ଅନ୍ୟମାନେ ଘଟଣାସ୍ଥଳରୁ ଖସି ପଳାଇଛନ୍ତି। ଖସି ପଳାଇଯାଇଥିବା ମାଓବାଦୀମାନଙ୍କ ଦେହରେ ଗୁଳି ବାଜିଥାଇ ପାରେ ବୋଲି ସନ୍ଦେହ କରାଯାଉଛି। ସେମାନଙ୍କୁ ଠାବ କରିବା ପାଇଁ ‘ଥଣ୍ଡର୍ବୋଲ୍ଟ୍’ ତଲାସ ତୀବ୍ରତର କରିଛି।
ପଡ଼ୋଶୀ ଜିଲ୍ଲା କୋଜିକୋଡ଼ରୁ ଗତକାଲି ଧରାପଡ଼ିଥିବା ଜଣେ ମାଓ ସମର୍ଥକଙ୍କଠାରୁ ପ୍ରାପ୍ତ ସୂଚନା ଆଧାରରେ କେରଳ ପୁଲିସ ‘କମ୍ବିଙ୍ଗ୍ ଅପରେସନ୍’ ଆରମ୍ଭ କରିଥିଲା।
Powered by Froala Editor