ବାଇକ୍ ଦୁର୍ଘଟଣାରେ ଫିଲ୍ମ ନିର୍ମାତାଙ୍କ ମୃତ୍ୟୁ : ୨୦ ମିନିଟ ଯାଏ ଛଟପଟ ହେଉଥିଲେ, ଲୋକେ ଚୋରି କରିନେଲେ କ୍ୟାମେରା
ଦିଲ୍ଲୀର ପଞ୍ଚଶୀଳ ଅଞ୍ଚଳରେ ଦୁଇବାଇକ ମୁହାଁମୁହିଁ ଧକ୍କା ହେବାଫଳରେ ଜଣେ ଡକ୍ୟୁମେଣ୍ଟ୍ରି ସିନେମା ନିର୍ମାତାଙ୍କ ମୃତ୍ୟୁ ହୋଇଯାଇଛି। ସୂଚନା ମୁତାବକ, ଶନିବାର ରାତିରେ ଏହି ଦୁର୍ଘଟଣା ଘଟିଛି। ମୃତ ବ୍ୟକ୍ତି ଜଣକ ପିୟୁଷ ପାଲ ବୋଲି ଜଣାପଡିଛି। ବାଇକ୍ ଦୁର୍ଘଟଣା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ତାଙ୍କର ମୃତ୍ୟୁ ହୋଇଛି।
ପିୟୁଷ ପାଲ ପେସାରେ ଜଣେ ଡକ୍ୟୁମେଣ୍ଟାରୀ ଫିଲ୍ମ ନିର୍ମାତା । ସେହିପରି ଏହି ଦୁର୍ଘଟଣା ବଣ୍ଟି ନମାକ ଆଉ ଜଣେ ବାଇକ୍ ଆରୋହୀ ମଧ୍ୟ ଆହତ ହୋଇଛନ୍ତି। ତାଙ୍କର ଚିକିତ୍ସା ଚାଲିଛି। ଦୁର୍ଘଟଣା ବେଳର ସିସିଟିଭି ଫୁଟେଜ ମଧ୍ୟ ସାମ୍ନାକୁ ଆସିଛି।
ପାଲଙ୍କ ସାଙ୍ଗ ସନି ବୋସ ପୁଲିସକୁ କହିଛନ୍ତି କି, 'ବଣ୍ଟିର ବାଇକ ପାଲଙ୍କ ବାଇକକୁ ଧକ୍କା ଦେଇଥିଲା। ମୋ ସାଙ୍ଗ ହେଲମେଟ ପିନ୍ଧିଥିବା ସତ୍ତ୍ବେ ଏହି ଧକ୍କାରେ ତାର ମୁଣ୍ଡ ଫାଟି ଯାଇଥିଲା। ସେ ରାସ୍ତାରେ ରକ୍ତଜୁଡ଼ୁବୁଡ଼ୁ ଅବସ୍ଥାରେ ୨୦ମିନିଟ ପର୍ଯ୍ୟନ୍ତ ପଡ଼ି ରହିବା ସତ୍ତ୍ବେ ସାହାଯ୍ୟ ପାଇଁ କେହି ଆସି ନଥିଲେ। ପରେ ତାଙ୍କୁ ହସ୍ପିଟାଲକୁ ନିଆ ଯାଇଥିଲା। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ବଣ୍ଟିଙ୍କ ବାଇକ୍ ଆସି ପିୟୁଷଙ୍କ ବାଇକକୁ ଧକ୍କା ଦେଇଥିଲେ ସୁଦ୍ଧା ପୁଲିସ ପିୟୁଷଙ୍କ ନାଁରେ ଏଫଆଇ୍ଆର୍ ରୁଜୁ କରିଥିବା ସେ ଅଭିଯୋଗ କରିଛନ୍ତି।
କେବଳ ସେତିକି ନୁହେଁ ଦୁର୍ଘଟଣା ପରେ ପିୟୁଷଙ୍କ ପାଖରେ ଥିବା ଏକ ଗୋ-ପ୍ରୋ କ୍ୟାମେରା ମଧ୍ୟ ଗାଏବ ଅଛି। ସେ ଏହି କ୍ୟାମେରା ଜରିଆରେ ଡକ୍ୟୁମେଣ୍ଟାରୀ ଫିଲ୍ମ ସୁଟିଂ କରୁଥିଲେ।
Powered by Froala Editor