ଟିଉସନ ଫି’ ପାଇଁ ନାବାଳକକୁ ହତ୍ୟା

ଭୁବନେଶ୍ୱର:ଖୋର୍ଦ୍ଧା ଜଟଣୀ ଥାନା ବେଣାପଞ୍ଜରୀ ଗାଁରେ ଘରେ ପଶି ନବମ ଶ୍ରେଣୀ ଛାତ୍ର ଶୁଭମ୍ ସ୍ୱରୂପ ପାଲଟାସିଂଙ୍କୁ ତଣ୍ଟିକାଟି ହତ୍ୟା ଘଟଣାରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଟିଉସନ ଫି’ ପାଇଁ ନାବାଳକକୁ ହତ୍ୟା କରାଯାଇଥିବା ଡିସିପି ପ୍ରତୀକ ସିଂ କହିଛନ୍ତି । ଏନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡିସିପି କହିଛନ୍ତି ଯେ ମୃତ ନାବାଳକର ବାପା ଓ ମା ଟିଉସନ କରନ୍ତି । ହତ୍ୟା କରିଥିବା ଯୁକ୍ତ ୨ ଛାତ୍ର ଜଣକ ସେଠାରେ ଟିଉସନ ହେଉଥିଲେ । ସମ୍ପୃକ୍ତ ଅଭିଯୁକ୍ତଙ୍କ ପ୍ରାୟ ୩ରୁ ୫ ହଜାର ଟଙ୍କା ଟିଉସନ ଫି ବାକି ରହିଥିଲା । ବାକି ଟଙ୍କା ଦେବାକୁ ଟିଉସନ ସାର ବାରମ୍ବାର କହୁଥିଲେ । ଏହାକୁ ନେଇ ଅଭିଯୁକ୍ତ ଲଜ୍ଜିତ ହେବା ସହ ପ୍ରତିଶୋଧ ପରାୟଣ ହୋଇଥିଲା । ଗତକାଲି ସନ୍ଧ୍ୟାରେ ନାବାଳକ ଜଣକ ଘରେ ପଢୁଥିଲା । ଅଭିଯୁକ୍ତ ଛାତ୍ର ଜଣକ ଘରେ ପଶି ତାକୁ ଛୁରିରେ ଆକ୍ରମଣ କରିଥିଲା । ପୁଲିିସ ସେଠାରୁ ଗୋଟିଏ ବ୍ୟାଗ ଓ ୟୁନିଫର୍ମ ପାଇଥିଲା । ସେହି ସୁରାକ ଆଧାରରେ ଗତକାଲି ଅଭିଯୁକ୍ତ ଛାତ୍ରକୁ ଧରାଯାଇଛି । ଅଭିଯୁକ୍ତ ଛାତ୍ର ଜଣକ ହତ୍ୟା କରିଥିବା ସ୍ୱୀକାର କରିଛି । ବାରମ୍ବାର ପଇସା ମାଗିବାରୁ ସେ ଏଭଳି କରିଥିବା କହିଛି ବୋଲି ଡିସିପି କହିଛନ୍ତି ।
ଅନ୍ୟପଟେ ଡିସିପିଙ୍କ ଗଣମାଧ୍ୟମ ବିବୃତ୍ତି ପରେ ମୃତ ଛାତ୍ରଙ୍କ ବାପା ମନୋଜ ପାଲଟାସିଂ କହିଛନ୍ତି ତାଙ୍କ ପୁଅକୁ ସୁପାରୀ ଦିଆଯାଇ ହତ୍ୟା କରାଯାଇଛି। ସଂପୃକ୍ତ ଛାତ୍ରକୁ ମୁଁ କେବେ ଟିଉସନ୍ ଫି ମାଗିନାହିଁ। ଦୂର ସଂପର୍କୀୟ ଚିହ୍ନା ହୋଇଥିବାରୁ କେବେ ବି ଟଙ୍କା ମାଗିନାହିଁ। ସାମାନ୍ୟ ଟଙ୍କା ୩ ହଜାର ପାଇଁ ମାରିଥିବା ବିଶ୍ବାସ ହେଉନାହିଁ। ଡିସିପି ଯାହା କହୁଛନ୍ତି, ମୁଁ ତାକୁ ଆଦୌ ଗ୍ରହଣ କରିପାରୁନି। ଘଟଣାରେ ଏକାଧିକ ସଂପୃକ୍ତ ଅଛନ୍ତି, ସିବିଆଇ ତଦନ୍ତ ହେଉ ବୋଲି ମୃତ ଛାତ୍ରଙ୍କ ବାପା କହିଛନ୍ତି।
ଗତକାଲି ଘରେ ଏକ୍ ରୁମ୍ରେ ଶୁଭମ ଏକା ବସି ପାଠ ପଢ଼ୁଥିଲେ। ଉପର ମହଲାରେ ଶୁଭମଙ୍କ ବାପା ଓ ଭଉଣୀ ଟ୍ୟୁସନ୍ କରୁଥିଲେ। ଆଉ ଶୁଭମ୍ଙ୍କ ମାଆ ରୋଷେଇ କରୁଥିଲେ। ଠିକ୍ ସେହି ସମୟରେ ଶୁଭମ୍ଙ୍କ ଚିତ୍କାର ଶବ୍ଦ ଶୁଭିଲା। ସେହି ଶବ୍ଦ ଶୁଣି ମାଆ ଓ ଭଉଣୀ ତଳ ମହଲକୁ ଧାଇଁ ଆସିଥିଲେ। ସେତେବେଳେ ଜଣେ ଯୁବକ ଧାଇଁ ପଳାଇ ଯାଉଥିବା ଉଭୟ ଦେଖିବାକୁ ପାଇଥିଲେ। ଆଉ ଘର ଭିତରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଶୁଭମ୍ ପଡ଼ିଥିଲା। ତାଙ୍କ ପେଟରେ ଛୁରା ମାଡ଼ ହୋଇଥିବା ବେଳେ ବେକକୁ କଟା ଯାଇଥିଲା। ପାଖରେ ଗୋଟିଏ ଛୁରୀ ପଡ଼ିଥିଲା।ପରିବାର ଲୋକେ ଶୁଭମଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଖୋର୍ଦ୍ଧା ମେଡ଼ିକାଲକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
Powered by Froala Editor