ଆରବିଆଇ କାର୍ଯ୍ୟାଳୟ ଆଗରେ ଇଓଡବ୍ଲୁ୍ୟର ଯାଞ୍ଚ

ଭୁବନେଶ୍ୱର: ନୋଟ ବଦଳ ନେଇ ଇଓଡବ୍ଲୁ୍ୟ ତନାଘନା ଆରମ୍ଭ କରିଛି । ଏନେଇ ଭୁବନେଶ୍ୱରସ୍ଥ ଆରବିଆଇ କାର୍ଯ୍ୟାଳୟ ଆଗରେ ଇଓଡବ୍ଲୁ୍ୟ ଯାଞ୍ଚ କରୁଛନ୍ତି । ନୋଟ ବଦଳାଇବା ପାଇଁ ଧାଡ଼ିରେ ଥିବା ଲୋକଙ୍କୁ ପଚରାଉଚୁରା କରୁଛି । ୨ଜଣିଆ ଇଓଡବ୍ଲୁ୍ୟ ଟିମ ଲୋକଙ୍କୁ ପଚରାଉଚୁରା କରୁଛି । ଉକ୍ତ ଟିମ ଧାଡ଼ିରେ ଥିବା ଲୋକଙ୍କ ଆଧାରକାର୍ଡ ଯାଞ୍ଚ କରୁଛି । ସେମାନଙ୍କ ଟଙ୍କା କି ନୁହେଁ କିମ୍ବା ସେମାନଙ୍କୁ କିଏ ପଠାଇଛି ସେ ନେଇ ଜେରା କରାଯାଉଛି । ଆରବିଆଇ ସମ୍ମୁଖରେ ୨ ଟଙ୍କିଆ ନୋଟ ବଦଳ ପାଇଁ ଗତକାଲି ଭଳି ଆଜି ପୁଣି ଲୋକଙ୍କ ଭିଡ଼ ଲାଗିଛି । ଦୈନିକ ପ୍ରାୟ ୭୦୦ ଲୋକ ଧାଡ଼ିରେ ଠିଆ ହୋଇ ନୋଟ ବଦଳାଉଛନ୍ତି ।
ପ୍ରକାଶ ଯେ ଆଜି ବି ଆରବିଆଇ ଆଗରେ ଲୋକଙ୍କ ଗହଳି । ୨ ହଜାର ଟଙ୍କିଆ ନୋଟ୍ ବଦଳାଇବା ପାଇଁ ସକାଳୁ ସକାଳୁ ଲାଗିଛି ଲମ୍ବା ଲାଇନ୍ । ଆଜି ବି ଆରବିଆଇ ଆଗରେ ଟଙ୍କା ବଦଳାଇବା ପାଇଁ ଭିଡ ଜମାଇଛନ୍ତି ଅନେକ ଦିନ ମଜୁରିଆ । ୩ ଦିନ ହେବ ଏମାନେ ଆସି ଆରବିଆଇ ଆଗରେ ନୋଟ୍ ବଦଳାଇବା ପାଇଁ ଛିଡା ହେଉଛନ୍ତି । ଏତେ ପରିମାଣରେ ୨ ହଜାର ଟଙ୍କିଆ ନୋଟ୍ କେଉଁଠୁ ଆସିଲା ତାକୁ ନେଇ ବଢିଛି ସନ୍ଦେହ ।
ଏସବୁ ଭିତରେ ପ୍ରଶ୍ନ ଉଠୁଛି ଟଙ୍କା ବଦଳ କରିବାକୁ ଏମାନଙ୍କୁ ପଠାଉଛି କିଏ? କାହାର ଏ ଟଙ୍କା ? ଟଙ୍କା ବଦଳାଇବାର ସୂଚନା ଏମାନେ ପୂର୍ବରୁ ପାଇନଥିଲେ କି? ସନ୍ଦେହ ହେଉଛି ପୋଲିସ ନଜରରୁ ବଂଚିବା ପାଇଁ କଳା ଟଙ୍କାକୁ ଧଳା କରିବା ଉଦ୍ଦେଶ୍ୟରେ କିଛି ଦଲାଲଙ୍କୁ ନିୟୋଜିତ କରିଛନ୍ତି ଧନୀ ଶ୍ରେଣୀର ଲୋକ । ବ୍ୟାଙ୍କରେ ଟଙ୍କା ବଦଳ କଲେ କାଳେ ଧରାପଡିଯିବେ, ସେହି ଭୟରେ ସମୟ ସରିଯିବା ପରେ ସିଧା ଆରବିଆଇ ଶାଖାରେ ଲୋକଙ୍କୁ ଲଗାଇ ନିଜ କଳା ଟଙ୍କାକୁ ଧଳା କରିବାରେ ଲାଗିପଡିଛନ୍ତି ।
Powered by Froala Editor