ରାଗ ସୁଝାଇଲା ସାବତ ମା’ : ପିଟି ପିଟି ଭାଇ, ଭଉଣୀଙ୍କୁ ଦରମରା କରିଦେଲା
ପ୍ରଥମ ସ୍ତ୍ରୀକୁ ଛାଡି ଦ୍ୱିତୀୟ ବିବାହ କଲା ବାପା । ହେଲେ ପୁଅ ଝିଅଙ୍କୁ ପାଖରେ ରଖିଥିଲା । ଧୀରେ ଧୀରେ ଦୁଇ ପିଲା ଆଖିରେ କଣ୍ଟା ସାଜିଲେ । ଏମିତିକି ମାରି ମାରି ଲହୁଲୁହାଣ କରିଦେଲେ । ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଆଠଗଡ ଅଶୋକ ନଗର ଅଞ୍ଚଳରେ ।
ବାଙ୍କୀ ପାର୍ଥପୁର ଅଞ୍ଚଳର ଶଙ୍କର୍ଷଣ ନନ୍ଦଙ୍କ ପୁଅ ସୁନୀଲ କୁମାର ନନ୍ଦ ୧୪ ବର୍ଷ ତଳେ ଖୋର୍ଦ୍ଧାର ତ୍ରିଭୁବନ ନନ୍ଦଙ୍କ ଝିଅ ସୁହାସିନୀଙ୍କୁ ବିବାହ କରିଥିଲେ। ତାଙ୍କର ପ୍ରଥମ ସ୍ତ୍ରୀଙ୍କ ଠାରୁ ପୁଅ ଓ ଝିଅ ଅଛନ୍ତି। କୌଣସି କାରଣରୁ ତାଙ୍କର ପ୍ରଥମ ବିବାହ ଡିଭୋର୍ସ ପାଇଁ ଚାଲିଥିବା ବେଳେ ୪ ବର୍ଷ ତଳେ ଯାଜପୁରର ପୂର୍ଣ୍ଣଚନ୍ଦ୍ର ଶତପଥୀଙ୍କ ଝିଅ ପୁଷ୍ପଲତା ନନ୍ଦକୁ ଦ୍ୱିତୀୟ ବିବାହ କରିଥିଲେ। ଦ୍ୱିତୀୟ ପତ୍ନୀଙ୍କ ଠାରୁ ତାଙ୍କର ୨ ବର୍ଷର ଝିଅ ଅଛି।
ଦ୍ୱିତୀୟ ପତ୍ନୀ ତଥା ପୁଅ, ଝିଅ ଙ୍କୁ ଧରି ସୁନୀଲ ଆଠଗଡ ଷୋଳଘରିଆ ନିକଟରେ କିଛି ଦିନ ହେବ ଭଡ଼ା ନେଇ ରହୁଛନ୍ତି। ସୁନୀଲ ସୋମବାର ବୋଲେରୋର ମରାମତି ପାଇଁ ଯାଇଥିଲେ। ଏହି ସମୟରେ ସୁନୀଲଙ୍କ ଦ୍ୱିତୀୟ ପତ୍ନୀ ସାବତ ପୁଅ ଓ ଝିଅକୁ ଆକ୍ରମଣ କରିଥିଲେ। ବେଲଣା ପେଡି, ଲୁହା ଖଡ଼ିକା ଦ୍ବାରା ପୁଅ ସୌରଭ ନନ୍ଦ(୧୩) ଓ ଝିଅ ସୌମ୍ୟାଶ୍ରୀ ନନ୍ଦ (୧୦)ଙ୍କୁ ଆକ୍ରମଣ କରିଥିଲେ।
ଆକ୍ରମଣରେ ଗୁରୁତର ହୋଇ ପଡିଥିବା ବେଳେ ସାହି ପଡିଶା ଲୋକମାନେ ତାଙ୍କୁ ଉଦ୍ଧାର କରିଥିଲେ। ମୁଁହ, ହାତ,ଗୋଡ ଓ ପୁରା ଶରୀରରେ ମାଡ଼ ଚିହ୍ନ ଦେଖି ଉଭୟଙ୍କୁ ଆଠଗଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆଠଗଡ ଡାକ୍ତରଖାନାରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପହଞ୍ଚି ଗୁରୁତର ଭାଇ ଭଉଣୀଙ୍କୁ ଭେଟିବା ସହ ଚିକିତ୍ସା କରୁଥିବା ଡାକ୍ତର ଓ ସ୍ଥାନୀୟ ଥାନା ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଖବର ପାଇଁ ପୁଲିସ ସାବତ ମା’ଙ୍କୁ ଥାନାରେ ଅଟକ ରଖିଛି।
Powered by Froala Editor