ଶିଶୁ କର୍କଟ ରୋଗୀଙ୍କ ପାଇଁ ନିର୍ମାଣ କରାଯିବ ଅତ୍ୟାଧୁନିକ ଚିକିତ୍ସା କେନ୍ଦ୍ର

ଭୁବନେଶ୍ୱର : ଜାତୀୟ ସ୍ତରରେ ଶିଶୁ କର୍କଟ ହାର ବୃଦ୍ଧି ପାଉଥିବା ବେଳେ ଓଡ଼ିଶାରେ ମଧ୍ୟ ଅନୁରୂପ ସ୍ଥିତି ପରିଲକ୍ଷିତ ହେଉଛି। ଏହା ମଧ୍ୟ ରାଜ୍ୟ ସରକାରଙ୍କ ପାଇଁ ସମ୍ପ୍ରତି ଆହ୍ବାନ ସୃଷ୍ଟି କରିଛି। ଏହାକୁ ଦୃଷ୍ଟିରେ ରଖି ଶିଶୁ କର୍କଟ ବିରୋଧୀ ଲଢ଼େଇରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ଜଟଣୀ ସ୍ଥିତ ନାଇଜର୍ ପରିସରରେ ପ୍ରସ୍ତାବିତ ହୋମି ଭାବା କ୍ୟାନ୍ସର ହସ୍ପିଟାଲ ଓ ରିସର୍ଚ୍ଚ ସେଣ୍ଟରରେ ଶିଶୁ କର୍କଟ ରୋଗୀଙ୍କ ପାଇଁ ଅତ୍ୟାଧୁନିକ ଚିକିତ୍ସା କେନ୍ଦ୍ର ନିର୍ମାଣ କରାଯିବା ପାଇଁ ରାଜ୍ୟ ସରକାର ୧୫୦ କୋଟି ଟଙ୍କା ବ୍ୟୟ ଅଟକଳ କରିଛନ୍ତି।
ସେହିପରି ଉକ୍ତ ଡାକ୍ତରଖାନା ପରିସରରେ ରୋଗୀ ସହାୟକ ତଥା ପରିବାର ସଦସ୍ୟଙ୍କ ରହିବା ନିମନ୍ତେ ୧୨୦ କୋଟି ଟଙ୍କା ବ୍ୟୟରେ ୨ ଲକ୍ଷ ବର୍ଗଫୁଟ୍ ଆୟତନ ବିଶିଷ୍ଟ ଏକ ଧର୍ମଶାଳା ନିର୍ମାଣ ହେବ। ଉକ୍ତ ଦୁଇ ପ୍ରକଳ୍ପକୁ ରାଜ୍ୟ ସରକାର ବିଧିବଦ୍ଧ ଅନୁମୋଦନ ପ୍ରଦାନ କରିଛନ୍ତି। ଏ ସମ୍ପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଶାଳିନୀ ପଣ୍ଡିତ ମୁମ୍ବଇ ସ୍ଥିତ ଟାଟା ମେମୋରିଆଲ ସେଣ୍ଟର ନିର୍ଦ୍ଦେଶକଙ୍କୁ ପତ୍ର ଲେଖି ଅବଗତ କରିଛନ୍ତି। ଭାରତ ସମେତ ଓଡ଼ିଶାରେ ଶିଶୁ କର୍କଟ ବୃଦ୍ଧି ପାଉଥିବା ବେଳେ ଭିତ୍ତିଭୂମିର ଘୋର ଅଭାବ ରହିଛି। ନିର୍ଦ୍ଦିଷ୍ଟ ଭାବେ ଶିଶୁ କର୍କଟ ରୋଗୀଙ୍କ ପାଇଁ ନିଦାନ, ଚିକିତ୍ସା ତଥା ପରାମର୍ଶ ସେବାରେ ବ୍ୟତିକ୍ରମ ଦେଖା ଦେଉଛି। ଏପରି ଆହ୍ୱାନକୁ ସରକାର ଗୁରୁତ୍ୱର ସହ ନେଇ ହୋମି ଭାବା କ୍ୟାନ୍ସର ହସ୍ପିଟାଲ ଓ ରିସର୍ଚ୍ଚ ସେଣ୍ଟରରେ ଶିଶୁ କର୍କଟ ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଡାକ୍ତରଖାନା ନିର୍ମାଣ ପାଇଁ ରାଜ୍ୟ ସରକାର ନିଜ ଆଡୁ ପଦକ୍ଷେପ ନେଇଛନ୍ତି। ନିକଟ ଅତୀତରେ କର୍କଟ ଆହ୍ୱାନର ସଫଳ ମୁକାବିଲା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଏକାଧିକ ପଦକ୍ଷେପ ନେଇଥିବା ବେଳେ ଆଜିର ନିଷ୍ପତ୍ତି କର୍କଟ ବିରୋଧୀ ଆଭିମୁଖ୍ୟକୁ ଆହୁରି ବଳ ଯୋଗାଇବ।
Powered by Froala Editor