ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ବିଜୟଯାତ୍ରା ସରିଲା
ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ବିଜୟଯାତ୍ରା ରବିବାର ଶାନ୍ତିଶୃଙ୍ଖଳା ତଥା ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ସମ୍ପନ୍ନ ହୋଇଛି। ପ୍ରଥା ଆଗରେ ପୁଣି ମୁଣ୍ଡ ନୁଆଁଇଲା ପ୍ରଶାସନ। ବାରଣ ସତ୍ତ୍ବେ ପଡ଼ିଲା ବଳି।ହଜାରହଜାର ପ୍ରାଣୀଙ୍କ ରକ୍ତରେ ଭିଜିଲା ଜେନାଖାଲ ନିକଟରୁ ମାଣିକେଶ୍ୱରୀ ମନ୍ଦିର ପର୍ଯ୍ୟନ୍ତ ରାଜରାସ୍ତା। ସହରର ଜେନାଖାଲଠାରୁ ମାଣିକେଶ୍ୱରୀ ମନ୍ଦିର ପର୍ଯ୍ୟନ୍ତ ମା’ ମାଣିକେଶ୍ୱରୀଙ୍କ ଚଳନ୍ତି ପ୍ରତିମା ଛତରର ଦର୍ଶନ ନିମନ୍ତେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା। ବଳି ବନ୍ଦ ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ଓ ଉଚ୍ଚନ୍ୟାୟାଳୟଙ୍କ ନିର୍ଦ୍ଦେଶନାମା ରହିଥିଲେ ହେଁ ହଜାର ହଜାର ଭକ୍ତ ସେମାନଙ୍କର ମାନସିକ ପୂରଣ ନିମନ୍ତେ ବଳି ଦେଇଥିଲେ।
ଗତ ୨୧ ତାରିଖ ମହାଷ୍ଟମୀ ରାତିରେ ମାଣିକେଶ୍ୱରୀ ମନ୍ଦିରଠାରେ ମହାବଳି ହୋଇଥିଲା। ପରେ ଉତ୍ତର ଦ୍ୱାର ନିକଟରେ ଅବସ୍ଥିତ ବୁଢ଼ାରଜା ଭୈରବଙ୍କ ସମ୍ମୁଖରେ ପୋଢ଼ବଳି ଦିଆଯିବା ପରେ ମାଣିକେଶ୍ୱରୀଙ୍କ ଚଳନ୍ତି ପ୍ରତିମା ଛତରକୁ ଭବାନୀପାଟଣାର ପଶ୍ଚିମ ଦିଗରେ ଜେନାଖାଲ ପର୍ଯ୍ୟନ୍ତ ନିଆଯାଇଥିଲା। ରବିବାର ପ୍ରାତଃକାଳରେ ଜେନାଖାଲରେ ବୋଦା ବଳି ଓ ପୂଜା ପାଠ ପରେ ମାଣିକେଶ୍ୱରୀଙ୍କ ଛତର ବିଜୟଯାତ୍ରା ସକାଳ ସାଢ଼େ ୫ଟାରେ ଆରମ୍ଭ ହୋଇଥିଲା। ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ଲକ୍ଷାଧିକ ଭକ୍ତଙ୍କ ଗହଣରେ ଘୁମୁରା, ନିଶାନ, ଘଣ୍ଟ ଆଦି ବାଦ୍ୟ ମଧ୍ୟରେ ଛିଟକନା, ମନ୍ଦାରଫୁଲ, ବେଲପତ୍ର ମାଳରେ ବସ୍ତ୍ରାବୃତ୍ତ ‘ଛତର’ ଝୁମି ଝୁମି ମାଣିକେଶ୍ୱରୀ ମନ୍ଦିରକୁ ମଧ୍ୟାହ୍ନ ୧୨ଟା ୧୮ ମିନିଟରେ ପ୍ରତ୍ୟାବର୍ତ୍ତନ କରିଥିଲା। ଛତରକୁ ମାନସିକ କରିଥିବା ହଜାର ହଜାର ଭକ୍ତ କୁକୁଡ଼ା, ପାରା, ବୋଦା, ମେଣ୍ଢା ଆଦି ଜାତୀୟ ରାଜପଥ ୨୬ର ଉଭୟ ପାର୍ଶ୍ବରେ ବଳି ଦେଇଥିଲେ। ଫଳରେ ସମଗ୍ର ରାଜରାସ୍ତା ରକ୍ତରଞ୍ଜିତ ହୋଇଯାଇଥିଲା। ଛତର ସମ୍ମୁଖରେ ଘୁମୁରା ନୃତ୍ୟ, ସିଂହବାଦ୍ୟ, ଘଣ୍ଟବାଦ୍ୟ ଓ ନିଶାନ ବାଦ୍ୟ ଆଦି ଦଳ ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ। ମା’ଙ୍କ ଛତର ସିଂହଦ୍ୱାର ନିକଟରେ ପହଞ୍ଚିବା ପରେ ମହାରାଜା ଅନନ୍ତ ପ୍ରତାପ ଦେଓଙ୍କ ସହ ତାଙ୍କ ସପରିବାରର ସଦସ୍ୟମାନେ ବନ୍ଦାପନା କରି ସ୍ୱାଗତ ଜଣାଇ ମନ୍ଦିର ଭିତରକୁ ନେଇଥିଲେ। ପୂର୍ବ ବର୍ଷଠାରୁ ଏଥର ଅଧିକ ଜନଗହଳି ହୋଇଥିଲା। ସେହିପରି ଅଧିକ ବଳି ମଧ୍ୟ ପଡ଼ିଥିଲା। ପ୍ରଶାସନ ପକ୍ଷରୁ ବଳି ବନ୍ଦ ପାଇଁ ସବୁ ପ୍ରକାର ଉଦ୍ୟମ ହୋଇଥିଲା। ତଥାପି ଭକ୍ତଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ିନଥିଲା। ଯାତ୍ରା ସମୟରେ ଲକ୍ଷାଧିକ ଭକ୍ତ ଛତର ଉପରକୁ ଛିଟକନା, ଶାଢ଼ି, ନଡ଼ିଆ, ମନ୍ଦାରଫୁଲ, ବେଲପତ୍ର ଆଦି ପକାଉଥିଲେ। ତଥାପି ଛତର ଉପରେ ବସିଥିବା ପାରାଙ୍କ ଉପରେ ଏହାର କୌଣସି ପ୍ରକାର ପ୍ରଭାବ ପଡ଼ିନଥିବା ଘଟଣା ଉପସ୍ଥିତ ଭକ୍ତ ଓ ଦର୍ଶକଙ୍କମାନଙ୍କୁ ବିସ୍ମିତ କରିଥିଲା।
Powered by Froala Editor