ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସକ୍ରିୟ , ଓଡ଼ିଶା ଉପରେ ନାହିଁ ବିଶେଷ ପ୍ରଭାବ
ବଙ୍ଗୋପସାଗରରେ ଏକ ଦୁର୍ବଳ ବାତ୍ୟା ସୃଷ୍ଟି ହେବା ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି। ସୂଚନା ଅନୁଯାୟୀ, ଏହା ଆଜି ରାତିରେ ଅବପାତ ଗଭୀର ଅବପାତର ରୂପ ନେବା ସହ ଆସନ୍ତାକାଲି ମଧ୍ୟରାତ୍ରି ସୁଦ୍ଧା ଦୁର୍ବଳ ବାତ୍ୟାର ରୂପ ନେଇପାରେ। ସେହି ସମୟରେ ସମୁଦ୍ରରେ ଘଂଟାପ୍ରତି ପବନର ବେଗ ସର୍ବାଧିକ ୮୦ କିମି ରହିପାରେ।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଏହି ଅବପାତ ଉତ୍ତର-ପୂର୍ବ ଦିଗରେ ଗତିକରିବା ସହ ଆହୁରି ଘନୀଭୂତ ହୋଇ ବାଂଲାଦେଶ ପାଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳ ମୁହାଁ ହେବ । ଏହାର ପ୍ରଭାବରେ ଆଜି ଗଞ୍ଜାମ, ପୁରୀ, କେନ୍ଦ୍ରାପଡା ଓ ଜଗତ୍ସିଂହପୁର ଜିଲ୍ଲାର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।
ଏହାର ପ୍ରଭାବରେ ଆସନ୍ତା ୨୭ ତାରିଖ ଯାଏଁ ସମୁଦ୍ର ଅଧିକ ଅଶାନ୍ତ ରହିବାର ସମ୍ଭାବନା ଥିବାରୁ, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ତେବେ ଓଡ଼ିଶା ଉପରେ ଏହି ବାତ୍ୟାର ସେତେଟା ପ୍ରଭାବ ରହିବ ନାହିଁ ବୋଲି ପାଣିପାଗ ବିଭାଗ କହିଛି। ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଏବେ ପାରାଦୀପ ଠାରୁ ଦକ୍ଷିଣରେ ୬୧୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି। ଆସନ୍ତାକାଲି ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରର ଗଭୀର ସମୁଦ୍ର ଅଞ୍ଚଳକୁ ମତ୍ସ୍ୟଜୀବୀମାନଙ୍କ ପ୍ରବେଶ ନ କରିବାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ କରାଯାଇଛି। ୨୩, ୨୪ ଓ ୨୫ ତାରିଖରେ ଉପକୂଳ ଓଡ଼ିଶା ସହ ସଂଲଗ୍ନ ଅଞ୍ଚଳଗୁଡ଼ିକରେ ହାଲୁକା ବର୍ଷାର ସମ୍ଭାବନା ରହିଛି।
Powered by Froala Editor