କୁକୁଡ଼ା ପାଳନ ଉପରେ ଗୁରୁତ୍ବାରୋପ: ୮ ଲକ୍ଷ ମହିଳା ଆର୍ଥିକ ସ୍ତରରେ ହେବେ ସ୍ବାବଲମ୍ବୀ
ଭୁବନେଶ୍ବର: ଚାଷୀମାନଙ୍କ ଆୟ ବଢ଼ାଇବା ଲାଗି ବିଭିନ୍ନ କ୍ଷେତ୍ରରେ ଉଦ୍ୟମ ଜାରି ରହିଛି। ତେବେ ଗ୍ରାମାଞ୍ଚଳରେ ବାସ କରୁଥିବା ମହିଳାମାନଙ୍କ ଆୟ ବଢ଼ାଇବା ଲାଗି କୁକୁଡ଼ା ପାଳନ ଉପରେ ଗୁରୁତ୍ବାରୋପ କରାଯାଉଛି। ୨୦୩୦ ସୁଦ୍ଧା ରାଜ୍ୟର ୮ ଲକ୍ଷ ମହିଳାଙ୍କୁ କୁକୁଡ଼ା ପାଳନ ଜରିଆରେ ଆର୍ଥିକ ସ୍ତରରେ ସ୍ବାବଲମ୍ବୀ କରିବାକୁ ଦୁଇଟି ସଂସ୍ଥା ହାଇଫର ଇଣ୍ଟରନ୍ୟାସନାଲ୍ ଓ କାର୍ଗିଲ୍ ହାତ ମିଳାଇଛନ୍ତି। ମହିଳା ଚାଷୀମାନଙ୍କ ଲାଗି ‘ହାଚିଂ ହୋପ୍’ ନାମକ ପ୍ରକଳ୍ପ ଆରମ୍ଭ କରାଯାଇଛି। ଏହି ପ୍ରକଳ୍ପ ଅଧୀନରେ ଗତ ଚାରି ବର୍ଷରେ ମୟୂରଭଞ୍ଜ ଜିଲ୍ଲାର ୩୦ ହଜାରରୁ ଅଧିକ ମହିଳା ଚାଷୀଙ୍କୁ ସାମିଲ କରାଯାଇଛି। କୁକୁଡ଼ା ପାଳନ ଲାଗି ସେମାନଙ୍କୁ ଆବଶ୍ୟକ ତାଲିମ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି।
ବର୍ତ୍ତମାନ କୁକୁଡ଼ା ଚାଷୀମାନେ ବାର୍ଷିକ ୧୮-୨୦ ହଜାର ଟଙ୍କା ରୋଜଗାର କରୁଛନ୍ତି। ଆଗାମୀ ଦିନରେ କିଭଳି ବାର୍ଷିକ ଆୟକୁ ୩୫ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିହେବ ସେ ଉପରେ ଧ୍ୟାନ ଦିଆଯାଉଛି। ମୟୂରଭଞ୍ଜ ପରେ ଏହି ପ୍ରକଳ୍ପକୁ କେନ୍ଦୁଝରରେ କାର୍ଯ୍ୟକାରୀ କରାଯାଇଛି ଓ ପର୍ଯ୍ୟାୟକ୍ରମେ ଅନ୍ୟ ଜିଲ୍ଲାଗୁଡ଼ିକରୁ ଏହି ପ୍ରକଳ୍ପକୁ ସମ୍ପ୍ରସାରିତ କରିବାର ଯୋଜନା ରହିଛି। ଏହି ପ୍ରକଳ୍ପକୁ ବ୍ୟାପକ କରିବା ଲାଗି ସ୍ଥାନୀୟ ସରକାର ଓ ଅନ୍ୟାନ୍ୟ ଅଂଶୀଦାରଙ୍କ ସହ ସହଯୋଗିତା ସ୍ଥାପନ କରାଯିବ ବୋଲି ହାଇଫର ଇଣ୍ଟରନ୍ୟାସନାଲ୍ର ବରିଷ୍ଠ ପ୍ରକଳ୍ପ ନିର୍ଦ୍ଦେଶକ ପି ରାଜାରଥିନମ୍ କହିଛନ୍ତି। ସେ କହିଛନ୍ତି ଯେ ଆମେ ସ୍ଥାନୀୟ ପ୍ରଜାତିର କୁକୁଡ଼ା ପାଳନ କରିବା ଲାଗି ମହିଳାମାନଙ୍କୁ ଉତ୍ସାହିତ କରୁଥିବା ବେଳେ ସେମାନଙ୍କୁ ଆବଶ୍ୟକ ସୁବିଧାସୁଯୋଗ ଯୋଗାଇ ଦେଉଛୁ। କୁକୁଡ଼ା ପାଳନ ଯେଭଳି ସେମାନଙ୍କ ପାଇଁ ଏକ ଦୀର୍ଘସ୍ଥାୟୀ ଜୀବିକା ହୋଇପାରିବ ସେଥିପାଇଁ ବଜାର ସୁବିଧା ମଧ୍ୟ ଯୋଗାଇ ଦିଆଯାଉଛି।
Powered by Froala Editor