ଅଟଳ ବିହାରୀଙ୍କ ପରଲୋକରେ ନବୀନ ଓ ଧର୍ମେନ୍ଦ୍ର କଲେ ଶୋକପ୍ରକାଶ
ଭୁବନେଶ୍ୱର: କରୋନାରେ ପୁଣି ଜଣେ ବିଶିଷ୍ଟ ଅଭିନେତାଙ୍କ ପରଲୋକ ଘଟିଛି । ବିଶିଷ୍ଟ ଅଭିନେତା, ନାଟ୍ୟ କଳାକାର ତଥା କଥାକାର ଅଟଳବିହାରୀ ପଣ୍ଡା ଶେଷନିଶ୍ୱାସ ତ୍ୟାଗ କରିଛନ୍ତି । ବୁର୍ଲା ବୀର ସୁରେନ୍ଦ୍ର ସାଏ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ଅଟଳ ବିହାରୀଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା। ସେ କୋଭିଡ୍ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିଲେ । ଏହାପରେ ପୁଣି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।
ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକ ପ୍ରକାଶ କରିଛନ୍ତି ।
‘ସଲାବୁଢା’, ‘ଆଦିମ ବିଚାର’ ପରି ଚଳଚ୍ଚିତ୍ରରେ ନିଖୁଣ ଅଭିନୟ ତାଙ୍କୁ ଚିରସ୍ମରଣୀୟ କରି ରଖିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି । ଏଡାଛଡ଼ା ତାଙ୍କ ବିୟୋଗ ଓଡ଼ିଆ କଳାଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କହିବା ସହ ମୁଖ୍ୟମନ୍ତ୍ରୀ ତାଙ୍କର ଅମର ଆତ୍ମାର ସଦଗତି କାମନା କରିଛନ୍ତି ।
ଅନ୍ୟପକ୍ଷରେ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଓଡ଼ିଶା ବିଶେଷ ଭାବରେ ପଶ୍ଚିମ ଓଡିଶାର ବର୍ଷିଆନ କଳାକାର ଅଟଳବିହାରୀ ପଣ୍ଡାଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ। ପ୍ରସିଦ୍ଧିଲାଭ କରିଥିବା ଅନେକ ସମ୍ୱଲପୁରୀ ଚଳଚ୍ଚିତ୍ରରେ ନିଖୁଣ ଅଭିନୟ କରି ସେ ଦର୍ଶକୀୟ ଆଦୃତ ଲାଭ କରିଥିଲେ। ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି।
ସୂଚନା ଥାଉ କି, ଶ୍ରୀ ପଣ୍ଡା କିଛିଦିନ ପୂର୍ବରୁ ଅସୁସ୍ଥ ଥିବାରୁ ତାଙ୍କୁ ବୁର୍ଲା ମେଡିକାଲ ମେଡିସି୍ ବିଭାଗ ଚିକିତ୍ସା କରାଯାଇଥିଲା। ସାମାନ୍ୟ ସୁସ୍ଥ ହେବାରୁ ଗତ ରବିବାର ତାଙ୍କ ପରିବାର ଲୋକେ ତାଙ୍କୁ ଘରକୁ ନେଇଥିଲେ। ପୁଣି ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ସୋମବାର ସନ୍ଧ୍ୟାରେ ତାଙ୍କୁ ଭିମ୍ସାରେ ଭର୍ତ୍ତି କରାଯାଇଥିଲା।
Powered by Froala Editor