ଆଜିଠୁ ମାଲକାନଗିରିରୁ ଆରମ୍ଭ ହେବ ‘ଲକ୍ଷ୍ମୀ’ ବସ୍
ମାଲକାନଗିରି: ରାଜ୍ୟରେ ଯାତ୍ରୀ ପରିବହନ ବ୍ୟବସ୍ଥାକୁ ଅଧିକ ସୁଗମ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନ୍ୟ ଏକ ଐତିହାସିକ ପଦକ୍ଷେପ ‘ଲକ୍ଷ୍ମୀ ଯୋଜନା’ରେ ବସ୍ ସେବା ଗୁରୁବାର ଠାରୁ ବିଧିବଦ୍ଧ ଭାବେ ମାଲକାନଗିରିରୁ ଆରମ୍ଭ ହେବ। ଆଜିମୁଖ୍ୟମନ୍ତ୍ରୀ ମାଲକାନଗିରିରୁ ଏହି ସେବାର ଶୁଭାରମ୍ଭ କରିବେ। ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ସକାଳ ପ୍ରାୟ ୧୧ଟାରେ ମୁଖ୍ୟମନ୍ତ୍ରୀ ହେଲିକପ୍ଟର୍ ଯୋଗେ ଜିଲ୍ଲା ସଦର ଷ୍ଟାଡିୟମ୍ ନିକଟ ଅସ୍ଥାୟୀ ହେଲିପ୍ୟାଡ୍ରେ ପହଞ୍ଚିବେ। ପରେ ସେଠାରେ ଆୟୋଜିତ ହେବାକୁ ଥିବା ସ୍ବତନ୍ତ୍ର କାର୍ୟ୍ୟକ୍ରମରେ ଯୋଗଦେଇ ପତାକା ଦେଖାଇ ବସ୍ ସେବାକୁ ଶୁଭାରମ୍ଭ କରିବେ। ଏହାସହ ବସ୍ଯୋଗେ ଏମ୍ଭି ୩କୁ ଯାତ୍ରା କରିବାର କାର୍ୟ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ୟ୍ୟାୟରେ ପହଞ୍ଚିଛି। ଏହି ଯୋଜନାର ସଠିକ୍ କାର୍ୟ୍ୟକାରୀ ପାଇଁ ସମସ୍ତ ବସ୍ଗୁଡ଼ିକୁ ପ୍ରସ୍ତୁତ କରାଯାଇଥିବା ସହ ଏହାର ରୁଟ୍ ତଥା ଗତିପଥଗୁଡ଼ିକୁ ନିର୍ଦ୍ଧାରିତ କରାଯାଇଛି। ‘ଲକ୍ଷ୍ମୀ’ ବସ୍ ନିମନ୍ତେ ଜିଲ୍ଲାର ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର ବସ୍ ଷ୍ଟପ୍ମାନ ନିର୍ମାଣ କରାଯାଇଛି।
ଏହି ଯୋଜନାର ଶୁଭାରମ୍ଭ ହେଲେ ଅନେକ ଗାଁ ଓ ପଞ୍ଚାୟତକୁ ଜିଲ୍ଲା ସଦର ମହକୁମାରୁ ସିଧାସଳଖ ଉନ୍ନତମାନର ବସ୍ ସେବା ମିଳି ପାରିବ। ଯେଉଁ ଗ୍ରାମଗୁଡ଼ିକୁ ବ୍ଲକ୍ ସଦରରୁ ବସ୍ ସେବା ନଥିଲା, ସେହି ଗ୍ରାମଗୁଡ଼ିକୁ ଲୋକେ ଅତି ଆରାମରେ ଯାତାୟତ କରି ପାରିବେ। ଅନେକ ଗ୍ରାମରେ ବସ ସେବା ନଥିବା ବେଳେ ଲୋକେ ଅନେକ ଦୂର ଚାଲି ଚାଲି କିମ୍ବା ଅନ୍ୟ ଗାଡିରେ ଅଧିକ ଭଡ଼ା ଦେଇ ଆସିବାକୁ ପଡ଼ୁଥିଲା। ସେହି ଗ୍ରାମବାସୀଙ୍କ ପାଇଁ ବର୍ତ୍ତମାନ ବ୍ଲକ ସଦରର ଦୂରତା କମିବା ସହ ସ୍ୱଳ୍ପ ଭଡ଼ାରେ ଉତ୍ତମ ସରକାରୀ ବସ୍ ସେବାର ସୁଯୋଗ ମିଳିବ।
Powered by Froala Editor