ଅଶ୍ବୀନ ମାସରେ ଗୁଳୁଗୁଳି, ସାରା ଓଡ଼ିଶାରେ ଅସହ୍ୟ ଗରମ

ଭୁବନେଶ୍ୱର: ମୌସୁମୀ ଅପସାରଣ ବେଳେ ପାରଦ ଉପର ମୁହାଁ । ବର୍ଷା କମି ଯାଇଥିବାରୁ ଅଶ୍ବୀନ ମାସରେ ଟାଇଁ ଟାଇଁ ଖରା ଓ ଗୁଳୁଗୁଳି ଅନୁଭୂତ ହୋଇଛି । ଶରତ ଋତରୁ ଚଳିତ ବର୍ଷର ରେକର୍ଡ ଭାଙ୍ଗିଛି ଗରମ । ଗ୍ରୀଷ୍ମ ଯାଇ ବର୍ଷା ସରିଲାଣି, ତଥାପି ଗରମ କମୁନି । ଏମିତିକି ଗ୍ରୀଷ୍ମ ଅବଧି ମାଡ଼ି ଆସି ଶରତକୁ ଗ୍ରାସିଲାଣି ।
ସୋମବାର ଭୁବନେଶ୍ୱରର ସର୍ବୋଚ୍ଚ ତାପମାତ୍ରା ୩୪.୪ ଡିଗ୍ରୀ ସେଲସିୟସ୍ ଥିଲା । ମଙ୍ଗଳବାର ମଧ୍ୟ ସମାନ ଧରଣର ଗରମ ଅନୁଭୂତ ହେଉଛି । ସ୍ୱାଭାବିକଠାରୁ ୨ ଡିଗ୍ରୀ ତାପମାତ୍ର ଅଧିକ ରହିଛି । ସେହିପରି ରବିବାର ରାତିର ସର୍ବନିମ୍ନ ତାପମାତ୍ରା ଥିଲା ୨୫.୨ ଡିଗ୍ରୀ, ତାହା ବି ସ୍ୱାଭାବିକଠାରୁ ୧ ଡିଗ୍ରୀ ଅଧିକ । ତା’ଠାରୁ ଚିନ୍ତାର ବିଷୟ ହେଲା- ବାୟୁମଣ୍ଡଳର ଆର୍ଦ୍ରତା । ସକାଳ ସାଢ଼େ ୮ଟା ସୁଦ୍ଧା ରାଜଧାନୀ ବାୟୁମଣ୍ଡଳରେ ୮୭% ଆର୍ଦ୍ରତା ଥିଲା । ସନ୍ଧ୍ୟା ସାଢ଼େ ୫ଟାବେଳେ ଆର୍ଦ୍ରତା ପ୍ରତିଶତ ଥିଲା ୭୪% । ଯାହା ସ୍ବାଭାବିକ ଠାରୁ ଅଧିକ ।
ପାଣିପାଗ ପୂର୍ବାନୁମାନ କହୁଛି, ଏଭଳି ସ୍ଥିତି ଆଗାମି ୧୦ ପର୍ୟ୍ୟନ୍ତ ଲାଗି ରହିବ । କାଁ ଭାଁ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ଶୀତ କେବେ ପଡ଼ିବ ତାହାର ଏକ ନିର୍ଦ୍ଦିଷ୍ଟ ଅନୁମାନ ମିଳିନାହିଁ । ରାଜଧାନୀ ତାପମାତ୍ରା ଓ ଆର୍ଦ୍ରତାକୁ ମିଶାଇଲେ ହିଟ୍ ଇନ୍ଡେକ୍ସ ଆକଳନ କହୁଛି, ଦିନରେ ଅନୁଭୂତ ହେଉଥିଲା ୪୦ ଡିଗ୍ରୀ ସେଲସିୟସ୍ ଭଳି ଗରମ । ରାତି ବି ଥଣ୍ଡା ପଡ଼ୁନି । କେବଳ ଭୁବନେଶ୍ୱର ନୁହେଁ, ସାରା ଓଡ଼ିଶାରେ ଏବେ ଗରମ ଅସହ୍ୟ ।
Powered by Froala Editor