ଅର୍ଥନୀତିଜ୍ଞ କ୍ଲାଉଡିଆ ଗୋଲଡିନଙ୍କୁ ଅର୍ଥନୀତିରେ ନୋବେଲ
ଆମେରିକାର ପ୍ରଖ୍ୟାତ ଅର୍ଥନୀତିଜ୍ଞ କ୍ଲାଉଡିଆ ଗୋଲଡିନଙ୍କୁ ୨୦୨୩ ପାଇଁ ଅର୍ଥନୀତିରେ ନୋବେଲ ପୁରସ୍କାର ପ୍ରଦାନ କରାଯିବ । କର୍ମଜୀବୀ ମହିଳାଙ୍କ ଗୁରୁତ୍ୱକୁ ବୁଝିବା ଦିଗରେ ସେ କାମ କରି ଏପରି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଏ ସମ୍ପର୍କରେ ଷ୍ଟକହୋମଠାରେ ରୟାଲ ସ୍ବିଡିସ ଏକାଡେମି ଅଫ ସାଇନ୍ସେସ ପକ୍ଷରୁ ଘୋଷଣା କରାଯାଇଛି ।
ସେ ଦୀର୍ଘ ଦିନ ହେଲା କର୍ମଜୀବୀ ମହିଳାଙ୍କ ଉପରେ କାମ କରି ଆସୁଥିଲେ। ସ୍ୱିଡେନ ନୋବେଲ ପୁରସ୍କାର କମିଟି ପକ୍ଷରୁ ଅର୍ଥନୀତିରେ ଗୋଲଡିନ ନୋବେଲ ପାଇବେ ବୋଲି ଘୋଷଣା କରାଯାଇଛି। ସେ ତୃତୀୟ ମହିଳା ଭାବେ ଅର୍ଥନୀତିରେ ନୋବେଲ ପାଇବାକୁ ମନୋନୀତ ହୋଇଛନ୍ତି।
ପ୍ରତିବର୍ଷ ପ୍ରଥମେ ଚିକିତ୍ସା ବିଜ୍ଞାନ ବା ମେଡିସିନ ପାଇଁ ନୋବେଲ ପୁରସ୍କାର ଘୋଷଣା ଆରମ୍ଭ ହୁଏ ତାହା ଅର୍ଥନୀତିରେ ଶେଷ ହୁଏ । ବୈଜ୍ଞାନିକ ତଥା ଶିଳ୍ପପତି ଆଲଫ୍ରେଡ୍ ନୋବେଲଙ୍କ ଇଚ୍ଛାପତ୍ର (ଓ୍ବିଲ୍) ଅନୁସାରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥାଏ । ତେବେ ଅର୍ଥନୀତିରେ ନୋବେଲ ପୁରସ୍କାର ପ୍ରଦାନ ପାଇଁ ଆଲଫ୍ରେଡ ନୋବେଲଙ୍କ ମୂଳ ଇଚ୍ଛାପତ୍ରରେ କୌଣସି ଉଲ୍ଲେଖ ନଥିଲା । କେବଳ ବିଜ୍ଞାନ ( ରସାୟନ ବିଜ୍ଞାନ, ଚିକିତ୍ସା ବିଜ୍ଞାନ, ଭୌତିକ ବିଜ୍ଞାନ), ସାହିତ୍ୟ ଓ ଶାନ୍ତି ପାଇଁ ନୋବେଲ ପୁରସ୍କାର ପାଇଁ ଉଲ୍ଲେଖ ଥିଲେ । ପରେ ୧୯୬୮ରେ ଅର୍ଥନୀତି ନୋବେଲ ଆରମ୍ଭ କରାଯାଇଥିଲା ।
Powered by Froala Editor