ନିର୍ବାଚନ ପୂର୍ବରୁ ପୋଷ୍ଟର କଳି : ବିଜେପି ଛାଡ଼ିଥିଲା ‘ରାବଣ’, କଂଗ୍ରେସ ଛାଡ଼ିଲା ‘ଆଦାନୀ କଣ୍ଢେଇ’
୨୦୨୪ ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୀତିକ ସରଗରମ ସେତିକି ବଢିବାରେ ଲାଗିଛି। ବିଜେପି ଓ କଂଗ୍ରେସ ମଧ୍ୟରେ ପୋଷ୍ଟର ୱାର ଆରମ୍ଭ ହୋଇଯାଇଛି। ଗୁରୁବାର ବିଜେପି ପକ୍ଷରୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କର ଏକାଧିକ ମୁଣ୍ଡ ଥିବା ଗୋଟିଏ ପୋଷ୍ଟର ଜାରି କରାଯାଇଥିଲା। ଏହାକୁ କଂଗ୍ରେସ ତୀବ୍ର ସମାଲୋଚନା କରିଥିବା ବେଳେ ଦଳ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ପୋଷ୍ଟ କରାଯାଇଛି। ଏଥିରେ ମୋଦିଙ୍କୁ ଶିଳ୍ପପତି ଗୌତମ ଆଦାନୀଙ୍କ କଣ୍ଢେଇ ଭାବେ ଚିତ୍ରଣ କରାଯାଇଛି। କଂଗ୍ରେସ ବାରମ୍ବାର ଆଦାନି ପ୍ରସଙ୍ଗରେ ବିଜେପି ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିବାର ନଜିର ରହିଛି।
କିଛି ଦିନ ତଳେ କଂଗ୍ରେସ ଏହାର ଅଫିସିଆଲ ‘ଏକ୍ସ’ରେ ପ୍ରଧାନମନ୍ତ୍ରୀଙ୍କୁ କଟାକ୍ଷ କରି ‘ ମୋଦୀ ଦ ବିଗେଷ୍ଟ ଲାୟର୍’ ବୋଲି ପୋଷ୍ଟ କରିଥିଲା। ଏହାର ଜବାବରେ ଗତକାଲି ବିଜେପି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ନୂଆ ଯୁଗର ରାବଣ କହି ଏହାର ଅଫିସିଆଲ ‘ଏକ୍ସ’ରେ ଏକ ଫଟୋ ପୋଷ୍ଟ କରିଥିଲା। ରାହୁଲଙ୍କ ଏକାଧିକ ମୁଣ୍ଡ ଥିବା ଏକ ଫଟୋ ପୋଷ୍ଟ କରି ଏଥିରେ ‘ରାବଣ: ଏ କଂଗ୍ରେସ ପାର୍ଟି ପ୍ରଡକ୍ସନ’ ବୋଲି ଉଲ୍ଲେଖ କରିଥିଲା। କେବଳ ସେତିକି ନୁହେଁ, ଏହାର ନିର୍ଦ୍ଦେଶକ ଜର୍ଜ ସୋରୋସ୍ ବୋଲି ମଧ୍ୟ ବିଜେପି ଉଲ୍ଲେଖ କରିଥିଲା। ଏହାକୁ ନେଇ କଂଗ୍ରେସ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।
କଂଗ୍ରେସ ଜାରି କରିଥିବା ପୋଷ୍ଟରେ ପ୍ରଧାନମନ୍ତ୍ରୀ ମୋଦି ଯୋଗମୁଦ୍ରାରେ ଥିବା ବେଳେ ଏହାର ଶୀର୍ଷକ ଆଦାନି ରଖାଯାଇଛି। କଣ୍ଢେଇକୁ ନଚାଇଲା ଭଳି ମୋଦିଙ୍କ ହାତରୁ ଏକାଧିକ ତାର ବାହାରିଥିବା ଫଟୋରେ ଦେଖିବାକୁ ମିଳୁଛି।
Powered by Froala Editor