ଭୁଶୁଡ଼ିଲା ମାଟିଘର: ବାପା ମୃତ, ପୁଅ ଗୁରୁତର
ସୁନ୍ଦରଗଡ଼: କାନ୍ଥ ଭୁଶୁଡ଼ି ବାପାର ମୃତ୍ୟୁ ଘଟିଥିବା ବେଳେ ପୁଅର ଅବସ୍ଥା ଗୁରୁତର ରହିଛି। ଏପରି ଦୁଃଖଦ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଅନ୍ତର୍ଗତ ଜରଙ୍ଗୋଲୋଇ ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ କୁରୁନାଥ ସାନ୍ତା । ଆହତ ପୁଅକୁ ବଡ଼ଗାଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଗତକାଲି ରାତିରେ କୁରୁନାଥ ଓ ତାଙ୍କ ପୁଅ ଘରେ ଶୋଇଥିଲେ। ସୁନ୍ଦରଗଡ଼ ଜିଲ୍ଲାରେ କିଛି ଦିନ ହେବା ଲଗାଣ ବର୍ଷା ଲାଗି ରହିଛି। ବର୍ଷା ପାଇଁ ମାଟି କାନ୍ଥଟି କୁରୁନାଥଙ୍କ ଉପରେ ଭୁଶୁଡ଼ି ପଡ଼ିଥିଲା। ପାଖରେ ଶୋଇଥିବା ପୁଅ ଉପରେ ମଧ୍ୟ କାନ୍ଥଟି ଅଳ୍ପ ପଡ଼ିଥିଲା। ବାପପୁଅଙ୍କୁ ପରିବାର ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭର୍ତ୍ତି କରିଥିଲେ। କୁରୁନାଥଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ସୁନ୍ଦରଗଡ଼ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଅର ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ସୂଚନା ମିଳିଛି।