କରୋନା ଦୂର କରିବା ପାଇଁ ସ୍ୱର୍ଗରୁ ଆସିଛନ୍ତି ଦୁଇ ପରୀ
ଭୋପାଳ: ବିଭିନ୍ନ ଦେଶ କରୋନାରୁ ମୁକ୍ତି ପାଇବାକୁ ବିଭିନ୍ନ ପ୍ରକାର ଟିକା ଏବଂ ଔଷଧ ବିକଶିତ କରୁଥିଲା ବେଳେ ଏହାକୁ ନେଇ କିନ୍ତୁ ଅନେକ ଲୋକ ଅପପ୍ରଚାର କରୁଛନ୍ତି । ଏହିଭଳି ଏକ ଘଟଣା ଏବେ ମଧ୍ୟପ୍ରଦେଶର ରାଜଗଡ଼ରେ ଦେଖିବାକୁ ମିଳିଛି । ସେଠାରେ ଏକ ଗ୍ରାମରେ ପ୍ରଚାର ହୋଇଗଲା ଯେ କରୋନା ଦୂର କରିବା ପାଇଁ ସ୍ୱର୍ଗରୁ ଦୁଇ ଜଣ ପରୀ ଆସିଛନ୍ତି । ଏବଂ ସେମାନେ ଗାଁର ଦୁଇ ଜଣ ମହିଳାଙ୍କ ଦେହରେ ପ୍ରବେଶ କରିଛନ୍ତି । ଏହି ପରୀମାନେ ଯାହା ଉପରେ ପାଣି ଛିଞ୍ଚି ଦେବେ ସେମାନଙ୍କୁ ଆଉ କରୋନା ହେବ ନାହିଁ ।
ଏହା ପ୍ରଚାର ହୋଇଗଲା ପରେ ଆଖପାଖ ଗ୍ରାମରୁ ହଜାର ହଜାର ଲୋକ ସେଇ ଗାଁକୁ ଆସି ଏକ ମନ୍ଦିର ନିକଟରେ ଜମା ହୋଇଗଲେ । ସେମାନଙ୍କ ଭିତରେ ସାମାଜିକ ଦୂରତ୍ୱ ନଥିଲା । କରୋନା ଗାଇଡଲାଇନକୁ କେହି ବି ଖାତିରନକରି ସେଠାରେ ରୁଣ୍ଡ ହେଲେ । ଏହା ଯୋଗୁଁ କରୋନା ସଂକ୍ରମଣ ଆହୁରି ବଢ଼ିଯିବାର ଆଶଙ୍କା ପ୍ରକାଶ ପାଇଲା । ସ୍ଥାନୀୟ ପୁଲିସ କୌଣସି ସୂତ୍ରରୁ ଏ ସମ୍ପର୍କରେ ସୂଚନା ପାଇଁ ଘଟଣା ସ୍ଥଳରେ ପହଞ୍ଚିଲା ଏବଂ ସେଠାରୁ ଲୋକଙ୍କୁ ହଟାଇଲା । ଯେଉଁ ଦୁଇ ଜଣ ମହିଳାଙ୍କ ଦେହରେ ପରୀ ପଶିଛନ୍ତି ବୋଲି କୁହାଯାଉଥିଲା, ସେମାନଙ୍କୁ ବିରୋଧରେ ପୁଲିସ ମାମଲା ଦାୟର କରିଛି ।
Powered by Froala Editor