ବିବାହ ପାଇଁ ମନା କଲା ଦିବ୍ୟାଙ୍ଗ ଯୁବତୀ, ମାରି ଟାଙ୍ଗିଦେଲା ଯୁବକ

ଦିବ୍ୟାଙ୍ଗ ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲେ ଜଣେ ଯୁବକ । ବାହାଘର ପାଇଁ ପ୍ରସ୍ତାବ ଦେଇଥିଲେ । ହେଲେ ଯୁବତୀ ଏଥିରେ ରାଜି ନହେବାରୁ ଜଙ୍ଗଲରେ ତଣ୍ଟି ଚିପି ଗଛରେ ଟାଙ୍ଗିଦେଲେ । ଏ ଘଟଣା ଘଟିଛି ରାଜସ୍ଥାନ ପ୍ରତାପଗଡ ଜିଲ୍ଲାରେ । ଏହି ମାମଲାରେ ପୁଲିସ ଅଭିଯୁକ୍ତ କୁଲଦୀପ ଗେହଲଟକୁ ଗିରଫ କରିଛି। କୁଲଦୀପ ଯୁବତୀଙ୍କୁ ମାରିଥିବା ସ୍ୱୀକାର କରିଛି ।
ଅଭିଯୁକ୍ତ ଜଣକ କହିଥିଲେ ଯେ ଘଟଣା ଦିନ ସେ ଯୁବତୀଙ୍କୁ ଖୁଣ୍ଟଗଡ ଜଙ୍ଗଲକୁ ନେଇ ଯାଇଥିଲେ। ଯେଉଁଠାରେ ସେ ବିବାହ ପାଇଁ ଯୁବତୀଙ୍କ ଉପରେ ଚାପ ପକାଉଥିଲେ । ଯେତେବେଳେ ସେ ବିବାହ ପାଇଁ ମନା କରିଦେଲେ, ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏଥିରେ ରାଗିଯାଇ ଅଭିଯୁକ୍ତ ଯୁବତୀକୁ ଗଳା ଚିପି ହତ୍ୟା କରିଥିଲା ଏବଂ ତା’ପରେ ଏକ ଗଛରେ ଟାଙ୍ଗି ଦେଇଥିଲା।
ପୁଲିସ ଅଧୀକ୍ଷକ ଅମିତ କୁମାର କହିଛନ୍ତି ଯେ ଶୁକ୍ରବାର ଦିନ ମୃତକଙ୍କ ମାମୁଁ ଧାମୋତର ପୁଲିସ ଷ୍ଟେସନରେ ଅଭିଯୋଗ କରିଥିଲେ ଯେ ତାଙ୍କ ଦିବ୍ୟାଙ୍ଗ ଭାଣିଜୀ ଘରେ କାହାକୁ ନ ଜଣାଇ କୁଆଡେ ଚାଲିଯାଇଛନ୍ତି। ଶନିବାର ଦିନ ଦେବଗଡ ସର୍କଲ ପୁଲିସ ଷ୍ଟେସନର ଖୁଣ୍ଟଗଡ ଜଙ୍ଗଲରେ ଜଣେ ଯୁବତୀଙ୍କ ମୃତଦେହ ଗଛରେ ଝୁଲୁଥିବା ଦେଖିବାକୁ ମିଳିଥିଲା। ଏହା ସେହି ଯୁବତୀଙ୍କର ବୋଲି ଜଣାପଡିଥିଲା ।
Powered by Froala Editor