ବାଲେଶ୍ବରରେ ୫୭୦ ଡେଙ୍ଗୁ ରୋଗୀ ଚିହ୍ନଟ
ବାଲେଶ୍ବର : ବାଲେଶ୍ବର ଜିଲ୍ଲାର ଭୋଗରାଇ, ବାଲିଆପାଳ, ବସ୍ତା ଓ ଜଳେଶ୍ବର ଏହି ୪ ବ୍ଲକ୍ରୁ ଅଧିକ ଡେଙ୍ଗୁରୋଗୀ ଚିହ୍ନଟ ହେଉଛନ୍ତି। ଡେଙ୍ଗୁ ପ୍ରବଣ ଜିଲ୍ଲା ଭାବେ ବାଲେଶ୍ବର ଏବେ ରାଜ୍ୟ ତାଲିକାରେ ୪ ନମ୍ବର ସ୍ଥାନରେ ରହିଛି। ପ୍ରତିଦିନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ରୋଗୀଙ୍କ ଧାଡ଼ି ଲମ୍ବିଛି। ଜିଲ୍ଲାରେ ଏବେ ସୁଦ୍ଧା ମୋଟ ୫୭୦ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ୯୪ ଜଣ ବାହାର ରାଜ୍ୟରୁ ଆସିଥିବା ପ୍ରବାସୀ ଏବଂ ବାକି ୪୭୬ ଜଣ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏଥିରେ କେବଳ ଭୋଗରାଇରୁ ୨୩୭, ବାଲିଆପାଳରେ ୧୫୫, ଜଳେଶ୍ବର ହାତୀଗଡ଼ ଅଞ୍ଚଳରୁ ୪୮ ଓ ବସ୍ତାରୁ ୩୮ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି।
ଦୁଇମାସ ଭିତରେ ଜିଲ୍ଲାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଅହେତୁକ ଭାବରେ ବୃଦ୍ଧି ପାଇଛି। ତେବେ ଆଗାମୀ ଦିନରେ ବର୍ଷା ଲାଗି ରହିଲେ ଆହୁରି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବ। ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏବେ ୪୧ ଜଣ ଡେଙ୍ଗୁ ରୋଗୀ ଭର୍ତ୍ତି ହୋଇଥିବା ବେଳେ ବିଭିନ୍ନ ବ୍ଲକର ସ୍ବାସ୍ଥ୍ୟକେନ୍ଦ୍ର ଗୁଡ଼ିକରେ ବି ରୋଗୀ ବି ଭର୍ତ୍ତି ହୋଇଛନ୍ତି। ରୋଗୀ ସଂଖ୍ୟାକୁ ଦେଖି ଡାକ୍ତରଖାନା ପକ୍ଷରୁ ପୂର୍ବରୁ ୧୦ଟି ଶଯ୍ୟାର ସୁବିଧା ରହିଥିବା ବେଳେ ଏବେ ଏହାକୁ ୨୫କୁ ବୃଦ୍ଧି କରାଯାଇଛି। ଡାଇରିଆ ୱାର୍ଡକୁ ୨୦ ଶଯ୍ୟାବିଶିଷ୍ଟ କରାଯାଇଥିବା ବେଳେ ଟିବି ୱାର୍ଡରେ ୧୫ ଶଯ୍ୟା ବ୍ୟବସ୍ଥାରେ କରାଯାଇଛି।
ଏତେ ରୋଗୀଙ୍କୁ ଶଯ୍ୟା କମ୍ ଥିବାରୁ ରୋଗୀ ତଳେ ଗଡ଼ୁଛନ୍ତି। ତେବେ ଡାକ୍ତରଖାନାକୁ ଆସୁଥିବା ରୋଗୀଙ୍କୁ ଡାକ୍ତରଖାନା ପକ୍ଷରୁ ମଶାରୀ ଯୋଗାଇ ଦିଆଯିବା କଥା ହେଲେ ପ୍ରାୟ ସମସ୍ତ ରୋଗୀ ନିଜ ଘରୁ ମଶାରୀ ଆଣୁଥିବା ଦେଖାଯାଇଛି। ଡେଙ୍ଗୁ ରୋଗୀ ଦିନରାତି ମଶାରୀ ଭିତରେ ରହିବା କଥା। ଏହି ମଶା ଦିନରେ କାମୁଡ଼ୁଥିବା ବେଳେ ଡାକ୍ତରଖାନାରେ ଅଧିକାଂଶ ରୋଗୀ ମଶାରୀ ଟାଣୁ ନଥିବା ଦେଖିବାକୁ ମିଳିଛି।
Powered by Froala Editor