ଦେଶର ଶୀର୍ଷ ୩ ରାଜ୍ୟ ମଧ୍ୟରେ ରହିଛି ଓଡ଼ିଶା, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ
ନୂଆଦିଲ୍ଲୀ:ଏମ୍ପି ଏବଂ ବିଧାୟକମାନଙ୍କ ବିରୋଧରେ ମାମଲା ୫ ବର୍ଷରୁ ଊର୍ଦ୍ଧ୍ୱ ବିଚାରାଧୀନ ରହିବାରେ ଦେଶର ଶୀର୍ଷ ୩ ରାଜ୍ୟ ମଧ୍ୟରେ ଓଡ଼ିଶା ରହିଛି। ଏହି ରାଜ୍ୟରେ ଆଇନ ପ୍ରଣେତାମାନଙ୍କ ବିରୋଧରେ ୩୨୩ ମାମଲା ୫ ବର୍ଷରୁ ଅଧିକ ସମୟ ହେଲା ବିଚାର ଅପେକ୍ଷାରେ ପଡ଼ିରହିଛି। ଉତ୍ତରପ୍ରଦେଶରେ ଏଭଳି ମାମଲା ସଂଖ୍ୟା ୭୧୯ ହୋଇଥିବାବେଳେ ବିହାରରେ ୩୮୧ ରହିଛି। ସୁପ୍ରିମକୋର୍ଟରେ ବରିଷ୍ଠ ଆଇନଜୀବୀ ତଥା ଆମିକସ୍ କ୍ୟୁରି ବିଜୟ ହଂସାରିଆ ଦାଖଲ କରିଥିବା ୧୯ତମ ରିପୋର୍ଟରୁ ଏହା ଜଣାପଡ଼ିଛି। ହାଇକୋର୍ଟଗୁଡ଼ିକରୁ ବିଚାରାଧୀନ ମାମଲା ସମ୍ପର୍କିତ ତଥ୍ୟ ସଂଗ୍ରହ କରି ହଂସାରିଆ ଉକ୍ତ ରିପୋର୍ଟ ପ୍ରସ୍ତୁତ କରିଛନ୍ତି।
ଉକ୍ତ ରିପୋର୍ଟ ଅନୁଯାୟୀ ଗତବର୍ଷ ନଭେମ୍ବର ପର୍ୟ୍ୟନ୍ତ ଓଡ଼ିଶାରେ ଏମ୍ପି ଏବଂ ବିଧାୟକମାନଙ୍କ ବିରୋଧରେ ୪୫୪ ମାମଲା ରୁଜୁ ହୋଇଛି। ପଞ୍ଜୀକୃତ ମାମଲା ଦୃଷ୍ଟିରୁ ବିଚାର କଲେ ଓଡ଼ିଶା ଚତୁର୍ଥ ସ୍ଥାନରେ ରହିଛି। ଉତ୍ତରପ୍ରଦେଶରେ ଏମ୍ପି ଓ ବିଧାୟକମାନଙ୍କ ବିରୋଧରେ ଏହି ସମୟ ମଧ୍ୟରେ ୧,୩୭୭ ମାମଲା ରୁଜୁ ହୋଇଥିବାବେଳେ ବିହାରରେ ୫୪୬ ଏବଂ ମହାରାଷ୍ଟ୍ରରେ ୪୮୨ ମାମଲା ରୁଜୁ ହୋଇଛି। ଓଡ଼ିଶାରେ ପ୍ରତି ବିଚାରପତି ପିଛା ଶୂନରୁ ୩୦ ମାମଲାର ବୋଝ ରହୁଛି। ଗତବର୍ଷ ନଭେମ୍ବର ସୁଦ୍ଧା ଦେଶର ଆଇନ ପ୍ରଣେତାମାନଙ୍କ ବିରୋଧରେ ମୋଟ ୫,୧୭୫ ମାମଲା ପଞ୍ଜୀକୃତ ହୋଇଥିବାବେଳେ ସେଥିମଧ୍ୟରୁ ୪୦ ପ୍ରତିଶତ (୨,୧୧୬ ମାମଲା) ୫ ବର୍ଷରୁ ଅଧିକ ସମୟ ହେଲା ବିଚାରାଧୀନ ରହିଛି। ନୈତିକ ଅଧମତାରେ ସମ୍ପୃକ୍ତ ଏମ୍ପି ଏବଂ ବିଧାୟକ ଦୋଷୀ ସାବ୍ୟସ୍ତ ହେଲେ ସେମାନଙ୍କୁ ୬ ବର୍ଷ ପରିବର୍ତ୍ତେ ଆଜୀବନ ନିର୍ବାଚନ ଲଢ଼ିବାରୁ ଅଯୋଗ୍ୟ ଘୋଷଣା କରାଯିବା ଉଚିତ ବୋଲି ଆମିକସ୍ କ୍ୟୁରି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ନୀତିଭ୍ରଷ୍ଟ ସଦସ୍ୟ ବୈଧାନିକ ପଦବୀ ପାଇଁ ସ୍ଥାୟୀ ଭାବେ ଅଯୋଗ୍ୟ ଘୋଷିତ ହେବେ ବୋଲି ବିଭିନ୍ନ ବୈଧାନିକ ସଂସ୍ଥାରେ ବ୍ୟବସ୍ଥା ରହିଥିବା ସେ ଦର୍ଶାଇଛନ୍ତି। ସାଂସଦ ଏବଂ ବିଧାୟକମାନେ ଜନସାଧାରଣଙ୍କ ସାର୍ବଭୌମ ଇଚ୍ଛାର ପ୍ରତିନିଧିତ୍ୱ କରିଥାନ୍ତି। ସେ ନୈତିକ ନୀତି ଭ୍ରଷ୍ଟତାରେ ସମ୍ପୃକ୍ତ ଅପରାଧ କରିଥିବା ପ୍ରମାଣିତ ହେଲେ ସବୁଦିନ ପଇଁ ଏହି ପଦବୀରୁ ଅଯୋଗ୍ୟ ଘୋଷିତ ହେବା ଆବଶ୍ୟକ। ଅଯୋଗ୍ୟ ଘୋଷଣା ସମୟସୀମାକୁ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସୀମିତ ରଖିବା ସମ୍ବିଧାନର ଅନୁଚ୍ଛେଦ ୧୪ରେ ଥିବା ସମାନତା ଧାରାର ଖୋଲା ଉଲ୍ଲଂଘନ ବୋଲି ହଂସାରିଆ ତଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ନିର୍ଦ୍ଦିଷ୍ଟ ଦୋଷୀସାବ୍ୟସ୍ତ ସମୟସୀମା ଶେଷ ହେବା ପରେ ଉକ୍ତ ବ୍ୟକ୍ତି ପୁଣିଥରେ ସର୍ବୋଚ୍ଚ ବ୍ୟବସ୍ଥାପିକାରେ ସ୍ଥାନ ପାଇବା ସ୍ପଷ୍ଟ ଭାବେ ମନମାନି ବୋଲି ସେ କହିଛନ୍ତି। ଦୋଷୀସାବ୍ୟସ୍ତ ଏମ୍ପି ଏବଂ ବିଧାୟକମାନେ ୬ ବର୍ଷ ଯାଏ ନିର୍ବାଚନ ଲଢ଼ିପାରିବେ ନାହିଁ ବୋଲି ଜନପ୍ରତିନିଧି ଆଇନ, ୧୯୫୧ର ଧାରା ୮ରେ ରହିଥିବା ବ୍ୟବସ୍ଥାର ସାମ୍ବିଧାନିକ ବୈଧତାକୁ ଭାଜପା ନେତା ଅଶ୍ୱିନୀ ଉପାଧ୍ୟାୟ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଏହା ଉପରେ ରିପୋର୍ଟ ଦେବା ଲାଗି ହଂସାରିଆଙ୍କୁ ଆମିକସ୍ କ୍ୟୁରି ନିଯୁକ୍ତ କରାଯାଇଥିଲା।
Powered by Froala Editor