ଉପରମୁଣ୍ଡରେ ଲଘୁଚାପ ବର୍ଷା, ଖୋଲାଯିବ ହୀରାକୁଦ ଡ୍ୟାମର ୨ଟି ଗେଟ
ଭୁବନେଶ୍ୱର: ବୁଧବାର ଅପରାହ୍ନ ୪ଟାରେ ହୀରାକୁଦ ଡ୍ୟାମର ୨ଟି ଗେଟ ଖୋଲାଯିବ । ଉପରମୁଣ୍ଡରେ ଲଘୁଚାପଜନିତ ବର୍ଷା ସମ୍ଭାବନା ଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି । ସକାଳ ୯ଟା ସୁଦ୍ଧା ହୀରାକୁଦର ଜଳସ୍ତର ୬୨୮.୧୦ ଫୁଟ ରହିଥିବା ଜଣାଯାଇଛି ।
ଅନ୍ୟପକ୍ଷରେ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି । ଉତ୍ତରପଶ୍ଚିମ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ଘୂର୍ଣ୍ଣିବଳୟ ଆଜି ଲଘୁଚାପରେ ପରିଣତ ହୋଇଛି । ଏହା ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।ଦକ୍ଷିଣ ଓଡ଼ିଶା, ଉତ୍ତର ଆନ୍ଧ୍ର ଓ ଛତିଶଗଡ଼ରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ରାଜ୍ୟର ୧୫ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି ।
ଏହାଛଡ଼ା ଗତ ୨୪ଘଣ୍ଟାରେ ରାଜ୍ୟର ୪ଟି ସ୍ଥାନରେ ଅତି ପ୍ରବଳ ଏବଂ ୧୭ ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି। କଳାହାଣ୍ଡ ଜିଲ୍ଲା ଲାଞ୍ଜିଗଡରେ ୧୫୬.୪ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡିରେ ୧୨୮ ମିମି ବର୍ଷା, ମାଲକାନଗିରିର ଚିତ୍ରାକୁଣ୍ଡରେ ୧୧୭ ମିମି ବର୍ଷା, ବରଗଡ଼ ଜିଲ୍ଲାର ଅତାବିରାରେ ୧୧୬ମିମି ବର୍ଷା, କନ୍ଧମାଳ ଜିଲ୍ଲା ଟିକାବାଲିରେ ୧୧୪ମିମି ବର୍ଷା ଓ ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ୧୦୨ମିମି ବର୍ଷା ରେକର୍ଡ କରାଯାଇଛି।
Powered by Froala Editor