ଅଧିକ ନିଯୁକ୍ତି ସୃଷ୍ଟିକାରୀ ଶିଳ୍ପ ପ୍ରତିଷ୍ଠା କରିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ଅବ୍ୟବହୃତ ଶିଳ୍ପାନୁଷ୍ଠାନ ଜମିରେ ଅଧିକ ନିଯୁକ୍ତି ସୃଷ୍ଟିକାରୀ ଶିଳ୍ପ ପ୍ରତିଷ୍ଠା ହେବ। ଶିଳ୍ପ ବିକାଶ ଓ ଶିଳ୍ପାନୁଷ୍ଠାନରେ ନିଯୁକ୍ତିକୁ ନେଇ ଜିଲ୍ଲା ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ଗ୍ରହଣ କରିଥିବା ଅଭିଯୋଗ ଉପରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ସମୀକ୍ଷା କରି ଏହି ନିର୍ଦ୍ଦେଶ ଦେଇଛନ୍ତି । ନିର୍ଦ୍ଧିଷ୍ଚ ସମୟ ସୀମା ମଧ୍ୟରେ ଲୋକଙ୍କ ଆପତ୍ତି ଅଭିଯୋଗର ଶୁଣାଣୀ କରି ସମାଧାନ କରିବା ନେଇ ସିଏମଓ ପକ୍ଷରୁ ଆରମ୍ଭ ହୋଇଥିବା ଉଦ୍ୟମରେ ମଙ୍ଗଳବାର ଶିଳ୍ପର ବିକାଶ ଓ ନିଯୁକ୍ତି ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା ।
ବୈଠକରେ ସବୁ ଶିଳ୍ପ ପ୍ରକଳ୍ପକୁ ଆବଶ୍ୟକ ଲୋକ ବଳ ଓ କୁଶଳୀ ୱାର୍କଫୋର୍ସ ପାଇଁ ଆଇଟିଆଇ ଓ ପଲିଟେକ୍ନିକ୍ ପରି ଦକ୍ଷତା ବିକାଶ ଅନୁଷ୍ଠାନ ସହ ସଂଯୋଗ କରାଯିବ । ବ୍ରଜରାଜନଗର, ଝାରସୁଗୁଡାରେ ଜନଶୁଣାଣୀ ସମୟରେ ଓଡିଏଣ୍ଟ ପେପର ମିଲକୁ ଦିଆଯାଇଥିବା ଲିଜ ଜମିର ବହୁ ଜମି ବ୍ୟବହାର ହୋଇନପାରି ପଡିରହିଥିବା ଲୋକେ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ଆଧାରରେ ଝାରସୁଗୁଡା ଜିଲ୍ଲାପାଳ ଓ ଇଡକୋ ଅନୁଧାନ କରି ବୈଠକରେ ଏକ ରିପୋର୍ଟ ଉପସ୍ଥାପନା କରିଥିଲେ । ଏହି ରିପୋର୍ଟ ଆଧାରରେ ଓଡିଏଣ୍ଟର ଅବ୍ୟବହୃତ ଜମିରେ ନିଯୁକ୍ତି ସୃଷ୍ଟିକାରୀ ଶିଳ୍ପ ପ୍ରତିଷ୍ଠା କରିବାକୁ ଶିଳ୍ପ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।ଏହି ପ୍ରକ୍ରିୟା ଏକ ମାସ ମଧ୍ୟରେ ଶେଷ କରିବାକୁ ଇଡକୋକୁ ନିର୍ଦ୍ଦେଶ ଦିଆଯାଇଛି ।
Powered by Froala Editor