ମନ୍ମଥ ରାଉତରାୟଙ୍କୁ ନିଲମ୍ବିତ କଲା କଂଗ୍ରେସ
ଭୁବନେଶ୍ୱର:ଜଟଣୀ ବିଧାୟକ ସୁର ରାଉତରାୟଙ୍କ ପୁଅ ତଥା ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ ମନ୍ମଥ ରାଉତରାୟଙ୍କୁ କଂଗ୍ରେସରୁ ନିଲମ୍ବିତ କରାଯାଇଛି। ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ତାଙ୍କୁ ଭାରତୀୟ ଜାତୀୟ କଂଗ୍ରେସରୁ ନିଲମ୍ବନ କରାଯାଇଛି। ଏ ନେଇ ଓଡ଼ିଶା ପ୍ରଦେଶ କଂଗ୍ରେସ ଡିସିପ୍ଲିନାରୀ ଆକ୍ସନ କମିଟି ପକ୍ଷରୁ ବିବୃତ୍ତି ପ୍ରକାଶ ପାଇଛି।
ମନ୍ମଥ କଂଗ୍ରେସରେ ପିସିସି ସଦସ୍ୟ ଥାଇ ମଧ୍ୟ ସେ ସ୍ୱାଧୀନ ଏବଂ ତାଙ୍କର କେଉଁ ରାଜନୈତିକ ଦଳ ସହ ସଂପୃକ୍ତି ନାହିଁ ବୋଲି ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଥିଲେ। ଏନେଇ କଂଗ୍ରେସ ପକ୍ଷରୁ ଗତକାଲି ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ତେବେ ସେ ତାହାର ଉତ୍ତର ଦେଇ ନଥିବାରୁ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଥିବା କଂଗ୍ରେସ ଶୃଙ୍ଖଳା କମିଟି ଅଧ୍ୟକ୍ଷ ସନ୍ତୋଷ ସିଂ ସାଲୁଜା ଦର୍ଶାଇଛନ୍ତି।
ସୂଚନାଯୋଗ୍ୟଯେ, ନିକଟରେ ମନ୍ମଥ ଗଣମାଧ୍ୟମକୁ କହିଥିଲେଯେ, ସେ କଂଗ୍ରେସ ଟିକେଟରେ ଜଟଣୀରୁ ଲଢ଼ିବେ ନାହିଁ । ଅକ୍ଟୋବରରେ ସେ ନୂଆ ଦଳରେ ଯୋଗଦେବେ। କଂଗ୍ରେସରେ ଜିତିହେବ ନାହିଁ ବୋଲି ସେ ଜାଣି ପାରିଛନ୍ତି। ଏନେଇ ବାପାଙ୍କ ସହ ଆଲୋଚନା କରିଥିଲେ ବୋଲି କହିଥିଲେ। ଯାହାକୁ ନେଇ କଂଗ୍ରେସରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। ଅପରପକ୍ଷରେ ସୁର କହିଥିଲେଯେ, ସେ କଂଗ୍ରେସରୁ ହିଁ ଲଢ଼ିବେ। ପିଲାଳିଆମୀ ପାଇଁ ଏଭଳି କହିଛନ୍ତି । ତାଙ୍କୁ ଦଳ ସସପେଣ୍ଡ କରୁ ବୋଲି ବି ସେ ପ୍ରକାଶ କରିଥିଲେ।
ବାପା ସୁର ରାଉତରାୟ କହିଥିଲେ, ଦଳରେ ଶୃଙ୍ଖଳା ହିଁ ସବୁକିଛି । ଦଳରେ ଯିଏ ଶୃଙ୍ଖଳା ଭଙ୍ଗ କରିବ ତାଙ୍କ ଉପରେ କାର୍ୟ୍ୟାନୁଷ୍ଠାନ । ମୋ ପୁଅ ଶୃଙ୍ଖଳା ଭଙ୍ଗ କରିଥିବାରୁ ତାଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ନିଆଗଲେ କୌଣସି ଆପତ୍ତି ନଥିବା କହିଥିଲେ ସୁର । ଏପରିକି ଦଳର ପ୍ରଭାରୀ ଯେତେବେଳେ ଏନେଇ ଆଲୋଚନା କରିଥିଲେ ସେତେବେଳେ ମଧ୍ୟ ପୁଅ ଉପରେ କାର୍ୟ୍ୟାନୁଷ୍ଠାନ ନିଆଯାଉ ବୋଲି କହିଥିଲେ ସୁର ରାଉତରାୟ । ଯାହାଦ୍ୱାରା କଂଗ୍ରେସ କର୍ମୀ ଓ ନେତାଙ୍କୁ ଦଳର ଶୃଙ୍ଖଳା ନେଇ ଭଲ ବାର୍ତ୍ତା ଯିବ । ଦଳରେ ଶୃଙ୍ଖଳା ନିହାତି ଜରୁରୀ ବୋଲି କହିଥିଲେ ସୁର ।
Powered by Froala Editor