ଦୃଷ୍ଟିହୀନ ବୃଦ୍ଧାଙ୍କୁ ବିମାନରେ ଛାଡିଦେଲେ କର୍ମଚାରୀ, ରାଗିଗଲେ ପୁଅ

ଭିସ୍ତାରା ବିମାନ କର୍ମଚାରୀଙ୍କ ଅବେହଳାର ଶିକାର ହୋଇଛନ୍ତି ଜଣେ ଦୃଷ୍ଟିହୀନା ବୃଦ୍ଧା। ବିମାନଟି ଲ୍ୟାଣ୍ଡ କରିବା ପରେ କର୍ମଚାରୀ ସହଯୋଗ ନ କରିବାରୁ ସେ ପ୍ରାୟ ଅଧ ଘଣ୍ଟା କାଳ ଏକୁଟିଆ ବିମାନରେ ବସି ରହିଲେ। ଏପରିକି ବିମାନଟି ପୁଣି ଥରେ ଉଡ଼ିବାକୁ ପ୍ରସ୍ତୁତି ଚଳାଇଥିବା ଜାଣି ପାରି ବୃଦ୍ଧାଜଣକ ଆଲାରାମ ମାରିଥିଲେ। ଫଳରେ ତାଙ୍କୁ ବିମାନ ବାହାରକୁ ଅଣାଯାଇଥିବା ଜଣାଯାଇଛି। ଏହି ଘଟଣାରେ ବିମାନ କମ୍ପାନୀ ଉପରେ ବର୍ଷିଛନ୍ତି ଯାତ୍ରୀଙ୍କ ପୁଅ। ସମ୍ପୃକ୍ତ ମହିଳା ଯାତ୍ରୀଙ୍କ ପୁଅ ଅଗଷ୍ଟ ୩୧ରେ ଦିଲ୍ଲୀ-କୋଲକାତା ବିମାନରେ ଘଟିଥିବା ଘଟଣା ସମ୍ପର୍କରେ ସୋସିଆଲ ମିଡିଆରେ ସୂଚନା ଦେଇଥିଲେ।
ବୃଦ୍ଧାଙ୍କ ପୁଅ ଆୟୂଷ କେଜ୍ରିୱାଲ କରିଥିବା ଟ୍ୱିଟ ଅନୁଯାୟୀ, ତାଙ୍କ ମା’ ଭିସ୍ତାରା ବିମାନରେ ଦିଲ୍ଲୀରୁ କୋଲକତା ଯାଇଥିଲେ। କୋଲକତାରେ ବିମାନଟି ଅବତରଣ କରିଥିବା ବେଳେ ଯାତ୍ରୀ ଓହ୍ଲାଇଥିଲେ। ବୃଦ୍ଧାଜଣକ ମଧ୍ୟ ବିମାନରୁ ଓହ୍ଲାଇବାରେ ତାଙ୍କୁ ସହଯୋଗ କରିବାକୁ କର୍ମଚାରୀଙ୍କୁ ଅନୁରୋଧ କରିଥିଲେ। ଏହା ଶୁଣି କିଛି ସମୟ ଅପେକ୍ଷା କରିବାକୁ କର୍ମଚାରୀମାନେ ତାଙ୍କୁ କହିଥିଲେ। ମାତ୍ର ସମସ୍ତେ ବିମାନରୁ ଓହ୍ଲାଇ ଯାଇଥିବା ବେଳେ ବୃଦ୍ଧାଜଣକ ପ୍ରାୟ ଅଧ ଘଣ୍ଟା କାଳ ବିମାନରେ ଏକା ବସି ରହିଥିଲେ।
ଏଥିରେ ବୃଦ୍ଧାଜଣକ ଅତିଷ୍ଠ ହୋଇ ପଡ଼ିଥିଲେ। ଏପରିକି ବିମାନ ଆଣ୍ଡାମାନ, ନିକୋବର ଯିବାକୁ ପ୍ରସ୍ତୁତ ହେଉଥିବା ସେ ଜାଣିବାକୁ ପାଇଲେ। ଫଳରେ ବ୍ୟତିବ୍ୟସ୍ତ ହୋଇ ସେ ବିମାନର ଆଲାରାମ ମାରିଥିଲେ। ଏହାପରେ କର୍ମଚାରୀ ପହଞ୍ଚି ତାଙ୍କୁ ବିମାନ ବାହାରକୁ ଆଣିଥିଲେ।
ଏହାର ଜବାବରେ ଭିସ୍ତାରା ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଆମେ ଏଥିପାଇଁ ଗଭୀର ଦୁଃଖିତ। ଆମେ ସର୍ବଦା ଯାତ୍ରୀମାନଙ୍କୁ ସର୍ବୋକୃଷ୍ଟ ସେବା ଦେବାକୁ ପ୍ରସ୍ତୁତ ଥାଉ। କିନ୍ତୁ ତ୍ରୁଟି ପାଇଁ ଆମେ କ୍ଷମା ମାଗୁଛୁ।
Powered by Froala Editor