ଇସ୍ତଫା ଦେଲେ କୋଟାକ ମହିନ୍ଦ୍ରା ସିଇଓ

କୋଟାକ ମହିନ୍ଦ୍ରା ବ୍ୟାଙ୍କର ଏମଡି ତଥା ସିଇଓ ଉଦୟ କୋଟାକ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଷ୍ଟକ ଏକ୍ସଚେଞ୍ଜ ଫାଇଲିଂରେ ବ୍ୟାଙ୍କ ଏନେଇ ସୂଚନା ଦେଇଛି। ବୋର୍ଡ ଅଫ ଡିରେକ୍ଟର୍ସର ଅଧ୍ୟକ୍ଷ ପ୍ରକାଶ ଆପଟେଙ୍କୁ ଚିଠି ଲେଖି ଉଦୟ ତତ୍କାଳ ଭାବେ ପଦରୁ ଇସ୍ତଫା ଦେଉଥିବା ଜଣାଇ ଦେଇଛନ୍ତି। ସେ କହିଛନ୍ତି, “ବେଶ କିଛି ଦିନ ହେବ ଏପରି ନିଷ୍ପତ୍ତି ନେବାକୁ ମୁଁ ବିଚାର କରୁଥିଲି। ଏବେ ଏହା ଉପରେ ମୋହର ମାରିବାର ଉପଯୁକ୍ତ ସମୟ ଆସି ଯାଇଛି। ସିଇଓ ପଦରୁ ସ୍ୱେଚ୍ଛାକୃତ ଭାବେ ଓହରି ଯାଉଛି।”
ଉଦୟ କୋଟାକଙ୍କ ପରେ ଦୀପକ ଗୁପ୍ତା ଏମଡି ଏବଂ ସିଇଓ ଭାବରେ କାର୍ଯ୍ୟ କରିବେ। ଉଦୟଙ୍କ କାର୍ଯ୍ୟକାଳ ୩୧ ଡିସେମ୍ବରରେ ଶେଷ ହୋଇଥା’ନ୍ତା ମାତ୍ର ଚାରି ମାସ ପୂର୍ବରୁ ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି।
ଉଦୟଙ୍କ ଇସ୍ତଫା ପରେ ବ୍ୟାଙ୍କର ବୋର୍ଡ ମିଟିଂ ହୋଇଥିଲା। ଯେଉଁଥିରେ ତାଙ୍କୁ ବ୍ୟାଙ୍କର ଅଣ-କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଦିଆଯାଇଛି।
Powered by Froala Editor