ହାତୀ ଘଉଡାଇବାକୁ ନେଇ ଦୁଇ ଜିଲ୍ଲାର ବନକର୍ମଚାରୀ ମୁହାଁମୁହିଁ

କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା ସୀମାରେ ଅଜବ ସ୍ଥିତି ଉପୁଜିଛି । ହାତୀପଲ ଘଉଡାଇବାକୁ ନେଇ ବନ କର୍ମଚାରୀମାନେ ମୁହାଁମୁହିଁ ହୋଇଛନ୍ତି । ମଙ୍ଗଳବାର ରାତି ପାଟଣା ବନାଞ୍ଚଳ ଦମାହୁଦା ପଞ୍ଚାୟତ କୁମୁଲାବାହାଳି ଇଲାକାକୁ ପଶି ଆସିଥିବା 22 ଘରିଆ ହାତୀ ପଲଙ୍କୁ ଘଉଡାଇବା ପାଇଁ ସାହାରପଡା ବନପାଳ ବିଭୁତି ସେଠୀ ଓ ଅନ୍ୟ ପାରା କର୍ମଚାରୀ ମାନେ ଅଞ୍ଚଳର ଲୋକମାନଙ୍କ ସହ ଉଦ୍ୟମ ରତ ଥିବା ସମୟରେ ଏହି ହାତୀପଲ ମୟୁରଭଞ୍ଜ ସୀମାକୁ ଯିବା ଆରମ୍ଭ କରିଥିଲେ।
ଏହା ଦେଖି ମୟୁରଭଞ୍ଜ ସୀମାରେ ମୁତୟନ ଥିବା ବନବିଭାଗର ହାତୀ ସ୍କ୍ବାଡ଼ ଓ ସେଠାକାର ଲୋକେ ହାତୀ ପଲଙ୍କୁ ନିଆଁ ହୁଳା ଦେଖାଇ ପୁନଶ୍ଚ କେନ୍ଦୁଝର ସୀମାକୁ ଫେରାଇ ଦେବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ସାହାରପଡା ବନପାଳ ଓ ପାରା କର୍ମଚାରୀଙ୍କୁ ଠାକୁରମୁଣ୍ଡା ବନକର୍ମଚାରି ମାନେ ବିରୋଧ କରିବା ସହ ଆକ୍ରମଣ କରିଥିଲେ। ଉଭୟ ପକ୍ଷଙ୍କ ମଧ୍ୟରେ ସେଠାରେ ମୁହାଁମୁହିଁ ହୋଇ ଠେଲାପେଲା ହେବାର ସୁଯୋଗରେ ହାତୀପଲ ମୟୁରଭଞ୍ଜ ସୀମାକୁ ଚାଲି ଯାଇଥିଲେ।
ଗଣ୍ଡଗୋଳ ରେ ପାଟଣା ବନାଞ୍ଚଳର ପାରା କର୍ମଚାରୀ ଝାଡଶ୍ୱର ମହାନ୍ତ ଓ ଈଶ୍ୱର ମାଝୀ ଆହତ ହୋଇଥିବା ଜଣାପଡିଛି। ରାତି 10 ଟା ପରେ ପରେ ଏଭଳି ଘଟଣା ମଧ୍ୟ ରାତ୍ରି ଯାଏ ଚାଲିଥିବା ବେଳେ ଏହା ରଣକ୍ଷେତ୍ରରେ ପରିଣତ ହୋଇଥିଲା।ତେବେ ହାତୀପଲ ଠାକୁରମୁଣ୍ଡା ବନାଞ୍ଚଳ ଅଞ୍ଚଳ କୁ ଚାଲିଯିବା ପରେ ଠାକୁରମୁଣ୍ଡା ବନାଞ୍ଚଳ ଆମ୍ବବେଡା ଜଙ୍ଗଲରେ ଡେରା ପକାଇଛନ୍ତି।
Powered by Froala Editor