୨ରୁ ୧୮ ବର୍ଷ ପିଲାଙ୍କ ଉପରେ ପରୀକ୍ଷଣ ଆରମ୍ଭ କଲା କୋଭାକ୍ସିନ
ଛୋଟ ପିଲାଙ୍କ ଉପରେ କୋଭାକ୍ସିନ ଟିକା ପରୀକ୍ଷଣ ଆରମ୍ଭ ହୋଇଛି। ବିହାରର ପାଟନାରେ ଥିବା ଏମ୍ସରେ ଆଜିଠାରୁ ୨ରୁ ୧୮ ବର୍ଷ ମଧ୍ୟରେ ଥିବା ପିଲାଙ୍କ ଉପରେ ଟିକାର ପରୀକ୍ଷଣ ଆରମ୍ଭ କରାଯାଇଥିବା ପ୍ରସାର ଭାରତୀୟ ପକ୍ଷରୁ ଖବର ପ୍ରକାଶ ପାଇଛି। ତେବେ ପ୍ରଥମ ଦିନରେ କେତେ ପିଲାଙ୍କ ଉପରେ ଏହାର ପରୀକ୍ଷା କରାଯାଇଛି, ତା’ର ତଥ୍ୟ ମିଳିନାହିଁ। ପାଟନା ଏମ୍ସର ସୁପରିନଟେଣ୍ଡେଣ୍ଟ ଡା ସିଏମ ସିଂହ କହିଥିଲେ, ଟ୍ରାଏଲ ଫେଜରେ ୭୦ରୁ ୮୦ ପିଲାଙ୍କୁ ଟିକାକରଣର କରିବାର ଯୋଜନା ରହିଛି। ଶୁକ୍ରବାର ଜଣେ ୧୩ ବର୍ଷୀୟ ବାଳକ ଟ୍ରାଏଲ ପାଇଁ ପ୍ରଥମେ ପଞ୍ଜୀକରଣ କରିଥିଲେ ବୋଲି ସେ କହିଛନ୍ତି।
ପାଟନା ଏମ୍ସ ପକ୍ଷରୁ ଛୋଟ ପିଲାଙ୍କ ଉପରେ କୋଭାକ୍ସିନର ଦ୍ୱିତୀୟ ପର୍ଯ୍ୟାୟ ଟ୍ରାଏଲ ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଗତ ସପ୍ତାହରୁ ଖୋଲା ଯାଇଥିଲା। କିଛି ଦିନ ତଳେ ଡିଜିସିଆଇ ଛୋଟ ପିଲାଙ୍କ ଉପରେ କୋଭାକ୍ସିନର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଆରମ୍ଭ କରିବାକୁ ଅନୁମତି ଦେଇଥିଲା। ପାଟନା ଏମ୍ସ ବ୍ୟତୀତ ଦିଲ୍ଲୀ ଏମ୍ସ ଓ ନାଗପୁରରେ ଥିବା ମେଡିଟ୍ରିନା ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସରେ ମଧ୍ୟ ଛୋଟ ପିଲାଙ୍କ ଉପରେ ଟିକାର ପରୀକ୍ଷା ପାଇଁ ଅନୁମତି ମିଳିଛି।
Powered by Froala Editor