ଟମାଟୋ, ପିଆଜ ପରେ ବଢ଼ିଲା ହରଡ଼ ଡାଲି

ଟମାଟୋ, ଜିରା, ପିଆଜ ପରେ ହରଡ଼ ଡାଲି ଓ ବୁଟ ଡାଲି ଦର ଆକାଶଛୁଆଁ ହେଲାଣି। ଡାଲି କିଲୋ ୨୦୦ଟଙ୍କା ଛୁଇଁପାରେ। ଏପରି ଆଶଙ୍କା ବ୍ୟକ୍ତ କରିଛି ରାଜ୍ୟ ବ୍ୟବସାୟୀ ମହାସଂଘ। କାରଣ ୨୫ କିଲୋ ଡାଲି ପ୍ୟାକେଟର ପାଇକାରୀ ମୂଲ୍ୟରେ ୮୦୦ ଟଙ୍କା ବୃଦ୍ଧି ହୋଇଛି । ଫଳରେ କିଲୋ ୧୫୨ ଟଙ୍କାରେ ମିଳୁଥିବା ହରଡ଼ ଡାଲି ଏବେ ୧୭୦ ଟଙ୍କାରେ ବିକ୍ରି ହେଲାଣି।
ଜାଣିଶୁଣି କର୍ପୋରେଟ୍ ସଂସ୍ଥା କୃତ୍ରିମ ଅଭାବ ସୃଷ୍ଟି କରି ଡାଲିର ଦର ବଢାଉଥିବା ଅଭିଯୋଗ ହୋଇଛି। ବଡ଼ ବଡ଼ କର୍ପୋରେଟ୍ ସଂସ୍ଥା ଡାଲି ହୋର୍ଡିଂ କରି ବଜାରରେ କୃତ୍ରିମ ଅଭାବ ସୃଷ୍ଟି କରୁଛନ୍ତି। ସେମାନଙ୍କୁ ନିୟନ୍ତ୍ରଣ କରୁନାହାନ୍ତି କେନ୍ଦ୍ର ସରକାର। ଖୁଲମଖୁଲା ବଡ଼ କମ୍ପାନୀ ଡାଲିର ଦରକୁ ନିୟନ୍ତ୍ରଣ କରୁଛନ୍ତି। ସାଧାରଣ ଖାଉଟି, ଛୋଟ ବ୍ୟବସାୟୀଙ୍କୁ ଏସବୁ କମ୍ପାନୀ ଶୋଷୁଛନ୍ତି ଅଥଚ କେନ୍ଦ୍ର ସରକାର ନିଦାବିଷ୍ଣୁ ପାଲଟିଥିବା ରାଜ୍ୟ ବ୍ୟବସାୟୀ ମହାସଂଘ ଅଭିଯୋଗ କରିଛି। ସେପଟେ ହୋର୍ଡିଂ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ସତର୍କ କରାଇଛନ୍ତି ରାଜ୍ୟ ସରକାର। କୌଣସି ବ୍ୟବସାୟୀ ହୋର୍ଡିଂ କଲେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଣି ଥରେ ପ୍ରତିଶ୍ରୁତି ଦେଇଛନ୍ତି ରାଜ୍ୟ ସରକାର।
Powered by Froala Editor