ପଦ୍ମଶ୍ରୀ ଡ. ଜୟନ୍ତ ମହାପାତ୍ରଙ୍କ ପରଲୋକ, ଇଂଲିଶ କବିତା ପାଇଁ ପାଇଥିଲେ ସାହିତ୍ୟ ଏକାଡେମୀ ପୁରସ୍କାର
ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କବି ପଦ୍ମଶ୍ରୀ ଡ. ଜୟନ୍ତ ମହାପାତ୍ର ଆଉ ନାହାନ୍ତି। କଟକ ବଡ଼ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ରାତି ୯ଟାରେ ତାଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା। ସେ ନିମୋନିଆରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ। ତାଙ୍କ ବିୟୋଗରେ ସାହିତ୍ୟ ଜଗତରେ ଶୋକର ଛାୟା ଖେଳି ଯାଇଛି।
ଡ. ମହାପାତ୍ର କିଛି ଦିନ ହେଲା ଅସୁସ୍ଥ ଥିଲେ। ଘରେ ରହି ସେ ଚିକିତ୍ସିତ ହେଉଥିଲେ। ପରେ ତାଙ୍କୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ତେବେ ଆଜି ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଛି। ବିଶିଷ୍ଟ କବି ଜୟନ୍ତ ମହାପାତ୍ରଙ୍କ ବିୟୋଗରେ ସାହିତ୍ୟିକ ମହଲରେ ଗଭୀର ଶୋକପ୍ରକାଶ ପାଇଛି। ଡ. ମହାପାତ୍ରଙ୍କ ବିୟୋଗ ସାହିତ୍ୟ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ବହୁ ବିଶିଷ୍ଟ ସାହିତ୍ୟିକ କହିଛନ୍ତି।
୧୯୨୮ ମସିହାରେ ଜନ୍ମ ଗ୍ରହଣ କରିଥିଲେ ପଦ୍ମଶ୍ରୀ ଜୟନ୍ତ ମହାପାତ୍ର। କଟକ ଷ୍ଟୁଆଟ୍ସ ସ୍କୁଲରୁ ପାଠ ପଢ଼ା ଆରମ୍ଭ କରିଥିଲେ। ପରେ ବିହାର ପାଟନା ବିଶ୍ୱବିଦ୍ୟାଳୟରୁ ଫିଜିକ୍ସିରେ ଏମ୍ସିଏ ପାସ୍ କରିଥିଲେ। ତା’ପରେ ରାଜ୍ୟର ବିଭିନ୍ନ ସରକାରୀ କଲେଜରେ ଅଧ୍ୟାପକ ଭାବେ ଶିକ୍ଷକତା କରିଥିଲେ। ୧୯୪୯ ମସିହାଠାରୁ (ସମ୍ବଲପୁରସ୍ଥିତ ଗଂଗାଧର ମେହେର କଲେଜ, ଭୁବନେଶ୍ବରସ୍ଥିତ ବିଜେବି କଲେଜ, ବାଲେଶ୍ବରସ୍ଥିତ ଫକୀର ମୋହନ କଲେଜ ଓ କଟକସ୍ଥିତ ରେଭେନ୍ସା କଲେଜ)ରେ ପଦାର୍ଥ ବିଜ୍ଞାନ ଅଧ୍ୟାପକ ଥିଲେ। ୧୯୮୬ ମସିହାରେ ରେଭେନ୍ସା ମହାବିଦ୍ୟାଳୟରୁ ଚାକିରିରୁ ଅବସର ନେଇଥିଲେ। ଚାକିରି କାଳ ଭିତରେ ଅନେକ କ୍ଷୁଦ୍ର ଗଳ୍ପ ଓ କବିତା ରଚନା କରିଥିଲେ।
ଉଭୟ ଇଂରାଜୀ ଓ ଓଡ଼ିଆ ସାହିତ୍ୟରେ ତାଙ୍କର ଅପରିସୀମ ଦକ୍ଷତା ଥିଲା। ପଦ୍ମଶ୍ରୀ ମହାପାତ୍ର ଦେଶର ପ୍ରଥମ କବି ଯିଏ ଇଂଲିଶ କବିତା ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର ଗ୍ରହଣ କରିଥିଲେ। ୨୦୦୯ ମସିହାରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ।
Powered by Froala Editor