୨୧ ଜଣଙ୍କୁ ମିଥ୍ୟା ମାମଲାରେ ନିର୍ଯାତନା ଦିଆଯାଉଛି, ତୁରନ୍ତ ଖଲାସ କରାଯାଉ : ମାଓବାଦୀ

ରାୟଗଡ଼ା ଓ କନ୍ଧମାଳ ସୀମାନ୍ତରେ ମାଓବାଦୀ ବ୍ୟାନର ମାରିଛନ୍ତି। ରାୟଗଡା ଜିଲା କାଶୀପୁର ବ୍ଲକର ସୁଙ୍ଗେରୁ ପଞ୍ଚାୟତର ୨୧ ଜଣଙ୍କୁ ପୋଲିସ ଗିରଫ କରିବା ନେଇ ମାଓବାଦୀମାନେ ପ୍ରତିକ୍ରିୟା ରଖିଛନ୍ତି। ସେଥିପାଇଁ ବିଜେଡିର ତୁଙ୍ଗ ନେତା ତଥା ରାଜ୍ୟ ଉପସଭାପତି ଏନ୍ ଭାସ୍କର ରାଓ,ଜିଲା ବିଜେଡି ସଭାପତି ସୁଧୀର ଦାଶ ଓ ଆଦିବାସୀ କଲ୍ୟାଣ ଓ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ଟାର୍ଗେଟ କରିଛନ୍ତି।
ଜିଲ୍ଲାର ମୁନିଗୁଡା ବ୍ଲକର ରାମନାକୁପଲି ଛକ ନିକଟରେ ମାଓବାଦୀ ବ୍ୟାନର ମାରିଛନ୍ତି। ଏହି ବ୍ୟାନରରେ କାଶୀପୁର ବ୍ଲକର ସୁଙ୍ଗେର ଗ୍ରାମର ୨୧ ଜଣ ଗ୍ରାମବାସୀଙ୍କୁ ମିଥ୍ୟା ମାମଲାରେ ଫସାଇ ଜେଲରେ ଭର୍ତ୍ତି କରାଯାଇଛି ବୋଲି କୁହାଯାଇଛି। ସେମାନଙ୍କୁ ନିର୍ଯାତନା ଦେବା ସହ ମାଡ ମରାଯାଉଛି। ତୁରନ୍ତ ସେମାନଙ୍କୁ ବିନା ସ୍ବାର୍ଥରେ ଖଲାସ କରାଯାଉ ନଚେତ ବିଜେଡିର ମନ୍ତ୍ରୀ ଜଗନ୍ନାଥ ସାରକା, ରାଜ୍ୟ ଉପସଭାପତି ଏନ.ଭାସ୍କର ରାଓ ଏବଂ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ସୁଧୀର ଦାସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି।
ତେବେ ଏହି ମାଓ ବ୍ୟାନର ଓ ପୋଷ୍ଟର ବୁଘୁନା ଡିଭିଜନ ପକ୍ଷରୁ ମାରାଯାଇଥିବା ଦେଖିବାକୁ ମିଳିଛି। ବ୍ୟାନର ମରାଯିବା ପରେ ଏହି ଅଂଚଳରେ ଆତଙ୍କ ଖେଳିଯାଇଛି। ପୁଲିସ ଏନେଇ ତଦନ୍ତ କରୁଥିବା ଜଣାପଡିଛି। ଏହା ନକ୍ସଲ ମାରିଛନ୍ତି ନା କେହି ବିଜେଡିକୁ ଟାର୍ଗେଟ କରି ମାରିଛି ତାହା ତଦନ୍ତ ପରେ ଜଣାପଡିବ ବୋଲି କୁହାଯାଇଛି।
କିଛି ଦିନ ପୂର୍ବେ କାଶୀପୁର ବ୍ଲକର ସୁଙ୍ଗେରୁ ଅଞ୍ଚଳ ସିଜିମାଳି ଖଣି ଅଞ୍ଚଳରେ ଆନ୍ଧ୍ରସ୍ଥିତ ମୈତ୍ରୀ ନାମକ ଠିକା ସଂସ୍ଥାର ଗତିବିଧି ରହିଥିବାରୁ ଅଞ୍ଚଳ ବାସିନ୍ଦା ବିରୋଧ କରିଥିଲେ। ସେଠାକାର ୨୧ ଜଣଙ୍କୁ ପୋଲିସ ଗିରଫ କରିଥିଲା। ଏନେଇ କାହାର ପ୍ରତିକ୍ରିୟା ମିଳିପାରିନାହିଁ।
Powered by Froala Editor