ପୁଣି ସୀମାରେ ଫୁଟିଲା ଗୁଳି: ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର
ଶ୍ରୀନଗର: ପୁଣି ସୀମାରେ ଫୁଟିଲା ଗୁଳି । ଜମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ପୁଲୱାମା ଜିଲ୍ଲାର ଲାରୋ-ପାରିଗମ ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି । ପୋଲିସ ଓ ସୁରକ୍ଷା ବାହିନୀ ନିୟୋଜିତ ଥିବା କାଶ୍ମୀର ଜୋନ ପୋଲିସ ତରଫରୁ ସୂଚନା ପ୍ରଦାନ କରାଯାଇଛି । ଏନକାଉଣ୍ଟରରେ ଆତଙ୍କୀ ନିହତ ନେଇ କୌଣସି ସୂଚନା ମିଳିପାରିନାହିଁ । ଗତକାଲି (ରବିବାର) ସନ୍ଧ୍ୟାରେ ଲାରୋ-ପାରିଗମ ଅଞ୍ଚଳରେ ଆତଙ୍କୀ ଲୁଚୁ ରହିଥିବା ନେଇ ଏକ ବିଶେଷସୁତ୍ରରୁ ଖବର ପାଇଥିଲା ସୁରକ୍ଷାବାହିନୀ । ଏହାପରେ ଉକ୍ତ ସ୍ଥାନୀରେ ସର୍ଚ୍ଚ ଅପରେସନ ସମୟରେ ଆତଙ୍କବାଦୀ ଗୁଳି ଚଳାଇଥିଲେ । ପାଲଟା ଜବାବ ଦେଇଥିଲା ସୁରକ୍ଷାବାହିନୀ । ଏହା ପୂର୍ବରୁ ଗତ ଅଗଷ୍ଟ ୫ ଦିନ କୁଲଗାମ ଜିଲ୍ଲାର ହାଲନ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ଆତଙ୍କୀ ମଧ୍ୟରେ ଏନକାଉଣ୍ଟର ହୋଇଥିଲା । ଏଥିରେ ୩ ଜଣ ଯବାନ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ପରେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ । ଏହା ପରେ ଅତିରିକ୍ତ ଫୋର୍ସ ପଠା ଯାଇ ହାଲନ ଜଙ୍ଗଲରେ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଥିଲା । ସେହିପରି ଜୁନ ୨୭ ତାରିଖରେ ଜମ୍ମୁ-କାଶ୍ମୀର କୁଲଗାମର ହାୱାରା ନିକଟରେ ସୁରକ୍ଷା ବାହିନୀ ଓ ଆତଙ୍କବାଦୀ ମଧ୍ୟରେ ଏନକାଉଣ୍ଟର ହୋଇଥିଲା । ଏଥିରେ ଜଣେ ଆତଙ୍କୀକୁ ନିପାତ କରିବାରେ ସଫଳ ହୋଇଥିଲା ସୁରକ୍ଷାବାହିନୀ । ଆତଙ୍କୀଙ୍କ ଗୁଳିରେ ଜଣେ ଯବାନ ଗୁରୁତର ହୋଇପଡିଥିଲେ ।
Powered by Froala Editor