ଗାଁକୁ ପଶିପାରିଲାନି ଆମ୍ବୁଲାନ୍ସ, ସାପ କାମୁଡାରେ ଆଖି ବୁଜିଦେଲେ ହୋମଗାର୍ଡ

ସାପ କାମୁଡା ଯୋଗୁଁ ବିଷ ଦେହସାରା ଚରିଯାଉଥିଲା । ତୁରନ୍ତ ହସ୍ପିଟାଲ ନେବା ପାଇଁ ତରତର ହେଉଥିଲେ ପରିବାର ଲୋକେ । ଆମ୍ବୁଲାନ୍ସ ବି ଆସି ପହଞ୍ଚିଲା । ହେଲେ ରାସ୍ତା ଯୋଗୁଁ ସବୁ ଦିନପାଇଁ ଆଖି ବୁଜିଦେଲେ ପରମାନନ୍ଦ । ଏଭଳି ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଘଟଗାଁ ବ୍ଲକ୍ ସନ୍ତରାପୁର ପଞ୍ଚାୟତର ପରାଭାଡ଼ି ସାହିରେ।
ପରାଭାଡ଼ି ସାହି ପରମାନନ୍ଦ ମହାନ୍ତ ଘରେ ଶୋଇଥିଲେ। ସେହି ସମୟରେ ତାଙ୍କୁ ଏକ ବିଷଧର ସର୍ପ ଦଂଶନ କରିଥିଲା। ଯେଉଁଥିପାଇଁ ସେ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ମେଡ଼ିକାଲ୍ ନେବା ପାଇଁ ଆମ୍ୱୁଲାନ୍ସକୁ ଫୋନ୍ କରିଥିଲେ ପରିବାର ଲୋକେ। ଫୋନ୍ କଲ୍ ପାଇ ଆମ୍ୱୁଲାନ୍ସ ଠିକ୍ ସମୟରେ ଆସିଥିଲା। ହେଲେ ପରାଭାଡ଼ି ସାହିକୁ ଯାଇପାରିଲା ନାହିଁ। ଗାଁଠାରୁ ଦେଢ଼ କିମି ଦୂରରେ ଅଟକି ରହିଲା ଆମ୍ୱୁଲାନ୍ସ। ତେଣୁ ଆମ୍ୱୁଲାନ୍ସ କର୍ମଚାରୀମାନେ ଷ୍ଟ୍ରେଚର ଧରି ପରାଭାଡ଼ି ଗାଁକୁ ଯାଇଥିଲେ। ଗାଁ ଲୋକଙ୍କ ସହାୟତାରେ ଆମ୍ୱୁଲାନ୍ସମାନେ ପରମାନନ୍ଦଙ୍କୁ ଷ୍ଟ୍ରେଚରରେ ଆମ୍ୱୁଲାନ୍ସ ପର୍ଯ୍ୟନ୍ତ ବୋହି ଆଣିଥିଲେ। ତା’ପରେ ତାଙ୍କୁ ଆମ୍ୱୁଲାନ୍ସରେ ନେଇ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେତେବେଳକୁ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା।
ସୂଚନାଯୋଗ୍ୟ ଯେ, ପରମାନନ୍ଦ ପୁଲିସ ବିଭାଗରେ ହୋମଗାର୍ଡ ଭାବେ କାର୍ଯ୍ୟରତ ଥିଲେ । ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକ ଖେଳିଯାଇଛି ।
Powered by Froala Editor