ବିଶ୍ୱକର୍ମା ଯୋଜନାକୁ ମଞ୍ଜୁରୀ: ୫% ସୁଧରେ ମିଳିବ ୧ ଲକ୍ଷ ଟଙ୍କା
ବିଶ୍ୱକର୍ମ ଯୋଜନା'କୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି। ଯୋଜନା ଅଧୀନରେ ବୃତ୍ତିଗତ ବ୍ୟବସାୟୀଙ୍କୁ ସର୍ବାଧିକ ୫% ସୁଧରେ ୧ ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯିବ। ସ୍ୱାଧୀନତା ଦିବସରେ ଦେଶବାସୀଙ୍କୁ ସମ୍ବୋଧନ କରି ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱକର୍ମା ଯୋଜନା ଲାଗୁ କରାଯିବ ବୋଲି କହିଥିଲେ।
ସେ ଘୋଷଣା କରିବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବୈଠକ ବସିଥିଲେ। ଏହି ବୈଠକରେ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାକୁ ମଞ୍ଜୁରୀ ମିଳିଛି। ଆସନ୍ତା ବିଶ୍ୱକର୍ମା ଜୟନ୍ତୀଠାରୁ 'ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା' ଆରମ୍ଭ ହେବ। ଏହି ଯୋଜନା ମାଧ୍ୟମରେ କୌଳିକ ବୃତ୍ତିକୁ ବାଛିଥିବା ଲୋକଙ୍କୁ ସରକାର ଆର୍ଥିକ ସହାୟତା ପ୍ରଦାନ କରିବେ।
କେନ୍ଦ୍ର କ୍ୟାବିନେଟ ୧୩୦୦୦ କୋଟି ଟଙ୍କାର ବିଶ୍ୱକର୍ମା ଯୋଜନାକୁ ଅନୁମୋଦନ କରିଛି। ଏହି ଯୋଜନା ମାଧ୍ୟମରେ କାରିଗରମାନଙ୍କୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ୫ ପ୍ରତିଶତ ସୁଧରେ ଦିଆଯିବ । ବିଶ୍ୱକର୍ମା ଯୋଜନା ଦ୍ୱାରା ୩୦ ଲକ୍ଷ କାରିଗର ପରିବାର ଉପକୃତ ହେବେ । ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାରେ ବଢ଼େଇ, ବୁଣାକାର, ଡଙ୍ଗା ତିଆରି କରୁଥିବା ଲୋକ, ଲୁହା କାରିଗର, ସୁନା କାରିଗର, ତାଲା ତିଆରି କରୁଥିବା ଲୋକ, କୁମ୍ଭାର, ମୋଚୀ, ମୂର୍ତ୍ତିକାର ଓ ରାଜମିସ୍ତ୍ରୀ ପ୍ରମୁଖ ରହିଛନ୍ତି।
ଏହା ବ୍ୟତୀତ କେନ୍ଦ୍ର କ୍ୟାବିନେଟ୍ ୧୪,୯୦୩ କୋଟି ଟଙ୍କାର ଡିଜିଟାଲ୍ ଇଣ୍ଡିଆ ବିସ୍ତାର ଯୋଜନାକୁ ଅନୁମୋଦନ କରିଛି।
Powered by Froala Editor