ଭୁବନେଶ୍ୱରରେ ନାଇଟ କର୍ଫୁ୍ୟ ଦରକାର: ଡିଏମଇଟି

ଭୁବନେଶ୍ୱର: ପୁଣି ନିଜର କାୟା ବିସ୍ତାର କରି ଚାଲିଛି କରୋନା। ଓଡ଼ିଶାରେ କରୋନା ଗ୍ରାଫ ଧୀରେ ଧୀରେ ଉପରମୁହାଁ ହେଉଛି । ଦିନକୁ ଦିନ କରୋନା ଲମ୍ବଡିଆଁ ମାରୁଛି । ଗତ କିଛି ଦିନ ହେଲା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ରାଜ୍ୟରେ କରୋନା ଚିତ୍ର ଦିନକୁ ଦିନ ଭୟାନକ ଆଡ଼କୁ ଯାଉଛି ।ତେବେ ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା କରୋନା ସଂକ୍ରମିତ ସଂଖ୍ୟା ବୃଦ୍ଧି ନେଇ ଡିଏମଇଟି ସିବିକେ ମହାନ୍ତି ଏକ ବଡ଼ ବୟାନ ଦେଇଛନ୍ତି । ବହୁ ପ୍ରଭାବିତ ରାଜ୍ୟରୁ ଲୋକେ ଭୁବନେଶ୍ୱର ଆସୁଥିବାରୁ ସଂଖ୍ୟା ବଢୁଛି । ବିମାନ ବନ୍ଦର ଓ ଷ୍ଟେସନରେ ସ୍କ୍ରିନିଂ କରିବା ପରେ ଏହା ଜଣାପଡ଼ିଛି । ପୂର୍ବ କୋଭିଡ ସମୟରେ ଯେଉଁ ପ୍ରସ୍ତୁତି ଥିଲା, ସେହି ଆଧାରରେ ଆମେ ପ୍ରସ୍ତୁତ । ସରକାର ଓ ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ସଜାଗ ରହିଛି । ସ୍ଥିତି ଉପରେ ନଜର ଅଛି । ନାଇଟ କର୍ଫୁ୍ୟ ସଂକ୍ରମଣ ରୋକିବାର ଏକ ମାଧ୍ୟମ ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି । ରାତିରେ କ୍ଲବ ଓ ପାର୍ଟିରେ ଗହଳି ରୋକିବାକୁ ନାଇଟ କର୍ଫୁ୍ୟ ଦରକାର ବୋଲି ସେ କହିଛନ୍ତି ।
ପ୍ରକାଶ ଯେ, ରାଜ୍ୟରେ ଆଉ ୭୯୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଂଟାଇନରେ ୪୫୯ ଜଣ ଥିବାବେଳେ ସ୍ଥାନୀୟ ସଂସ୍ପର୍ଶରେ ଆସି ୩୩୨ ଜଣ ଆକ୍ରାନ୍ତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୪୪ ହଜାର ୬୪୭କୁ ଛୁଇଁଛି।
ସୁନ୍ଦରଗଡ଼ରୁ ସର୍ବାଧିକ ୧୪୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ ୧୧୮ ଚିହ୍ନଟ ହୋଇଛନ୍ତି । ସେହିପରି ବରଗଡ଼ ୪୮, କଟକ ୪୬, ସମ୍ବଲପୁର ୪୫, ପୁରୀ ୪୩, କଳାହାଣ୍ଡି ୩୮, ଝାରସୁଗୁଡ଼ା ୩୧, ନୂଆପଡ଼ା ୩୧, ଷ୍ଟେଟପୁଲ ୨୭, ମୟୂରଭଞ୍ଜ ୨୪, ନବରଙ୍ଗପୁର ୨୩, ଅନୁଗୁଳ ୧୭, ଯାଜପୁର ୧୬, ବଲାଙ୍ଗୀର ୧୪, ରାୟଗଡ଼ା ୧୪, ଭଦ୍ରକ ୧୦, ଜଗତସିଂହପୁର ୯, ଗଞ୍ଜାମ ୯, କୋରାପୁଟ ୯, ସୁବର୍ଣ୍ଣପୁର ୭, ବାଲେଶ୍ୱର ୬, କନ୍ଧାମାଳ ୪, ଢେଙ୍କାନାଳ ୩, ମାଲକାନଗିରି ୨, ବୌଦ୍ଧ ୨, ଦେବଗଡ଼ ଓ କେନ୍ଦ୍ରାପଡ଼ାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।