ମାଟି ମା’ର ସେବାରେ ସୁଶାନ୍ତଙ୍କ ବଳିଦାନ ସର୍ବଦା ସ୍ମରଣୀୟ ରହିବ : ମୁଖ୍ୟମନ୍ତ୍ରୀ
ରାଉରକେଲା : ଓଡ଼ିଆ ଯବାନ ସୁଶାନ୍ତ କୁମାର ଖୁଣ୍ଟିଆଙ୍କୁ ଝୁରୁଛି ଆନନ୍ଦପୁର ଗାଁ। ପୁଅଙ୍କ ବିୟୋଗରେ ପରିବାର ଦୁଃଖରେ ମ୍ରିୟମାଣ ଅବସ୍ଥାରେ। ଆଜି ଜନ୍ମ ମାଟିକୁ ଫେରିବ ସହିଦ ଯବନାଙ୍କ ପାର୍ଥିବ ଶରୀର। ପୈତୃକ ଗ୍ରାମ ଗାର୍ଡ ଅଫ୍ ଅନର ଦିଆଯିବା ପରେ ଶବ ସତ୍କାର କରାଯିବ। ଶୁକ୍ରବାର କୋହ୍ଲାନ ଜଙ୍ଗଲରେ ନକ୍ସଲଙ୍କ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ଏବଂ ଗୁଳିମାଡ଼ରେ ସହିଦ ହୋଇଥିଲେ ଓଡ଼ିଆ ଯବାନ।
ଓଡ଼ିଶା ସୀମାବର୍ତ୍ତୀ ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲା ଟଣ୍ଟୋ ଥାନା ଅନ୍ତର୍ଗତ କୋହ୍ଲାନ ଜଙ୍ଗଲରେ ନକ୍ସଲଙ୍କ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ଏବଂ ଗୁଳିମାଡ଼ରେ ସହିଦ ହୋଇଛନ୍ତି ଓଡ଼ିଆ ଯବାନ ସୁଶାନ୍ତ କୁମାର ଖୁଣ୍ଟିଆ । ସହିଦ ଯବାନଙ୍କ ପାର୍ଥିବ ଶରୀରକୁ ଚକ୍ରଧରପୁରକୁ ଅଣାଯାଇଛି । ସେଠାରେ ଗାର୍ଡ ଅଫ୍ ଅନର ଦିଆଯିବା ପରେ ତାଙ୍କ ପୈତୃକ ଗ୍ରାମକୁ ପଠାଯିବ । ଓଡ଼ିଆ ଯବାନ ସୁଶାନ୍ତ ଖୁଣ୍ଟିଆ ସହିଦ ହେବା ଖବର ପାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ବ୍ୟକ୍ତ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଟ୍ୱିଟ୍ କରି କହିଛନ୍ତି, ମାଟି ମା’ର ସେବାରେ ତାଙ୍କର ବଳିଦାନ ସର୍ବଦା ସ୍ମରଣୀୟ ରହିବ । ବୀର ଯବାନଙ୍କ ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି, ମୁଁ ଦୁଃଖିତ ଓ ମର୍ମାହତ । ଦେଶ ମାତୃକା ପାଇଁ ତାଙ୍କର ବଳିଦାନ ସ୍ମରଣୀୟ ହୋଇ ରହିବ । ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି । ଏହି ଦୁଃଖଦ ସମୟରେ ମହାପ୍ରଭୁ ପରିବାରବର୍ଗଙ୍କୁ ଅସୀମ ଧୈର୍ୟ୍ୟ ଓ ସାହସ ପ୍ରଦାନ କରନ୍ତୁ ।
Powered by Froala Editor