ରାଜ୍ୟରେ ଆରମ୍ଭ ହେବ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’

ଭୁବନେଶ୍ୱର : ଚଳିତ ଶିକ୍ଷାବର୍ଷରୁ ରାଜ୍ୟରେ ଆରମ୍ଭ ହେବ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’। ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକର ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ ଶିକ୍ଷା ବ୍ୟବସ୍ଥା ସହ ଜଡ଼ିତ ସମସ୍ତ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ ଓ ପୁରସ୍କୃତ କରି ପ୍ରୋତ୍ସାହନ ଦେବା ପାଇଁ ଏହି ଅଭିନବ ପ୍ରକ୍ରିୟା ଆରମ୍ଭ ହେବ। ଖୁବ୍ଶୀଘ୍ର ଏଥିପାଇଁ ଚୟନ ପ୍ରକ୍ରିୟା ଆରମ୍ଭ ହେବାକୁ ଥିବାବେଳେ ପୁରସ୍କାର ନିମନ୍ତେ ସମସ୍ତ ପ୍ରକ୍ରିୟାର ପରିଚାଳନା ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ୱେବ୍ପୋର୍ଟାଲ୍’ ମାଧ୍ୟମରେ କରାଯିବ। ଏଥିପାଇଁ ‘ମୋ ସ୍କୁଲ ଅଭିଯାନ’ ପକ୍ଷରୁ ୱେବ୍ସାଇଟ୍ ପରିଚାଳନା ସମ୍ପର୍କିତ ଏକ ପ୍ରଶିକ୍ଷଣ କାର୍ୟ୍ୟକ୍ରମ ଶନିବାର ଅନୁଷ୍ଠିତ ହୋଇଛି।
ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ୟ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ରାଜ୍ୟ ଶିକ୍ଷା ଗବେଷଣା ପ୍ରଶିକ୍ଷଣ ପରିଷଦ(ଏସ୍ସିଇଆର୍ଟି) ସମ୍ମିଳନୀ କକ୍ଷରେ ଏହି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି। କାର୍ୟ୍ୟକ୍ରମରେ ସମସ୍ତ ଜିଲ୍ଲାର ‘ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ଅନୁଷ୍ଠାନ’ର ଅଧ୍ୟକ୍ଷ, ପ୍ରତ୍ୟେକ ଜିଲ୍ଲାର ଜଣେ ଲେଖାଏଁ ଶିକ୍ଷକ ପ୍ରଶିକ୍ଷକ, ଏମ୍ଆଇଏସ୍ ଏବଂ ଯୋଜନା ସଂଯୋଜକମାନେ ଯୋଗଦେଇ ୱେବସାଇଟ୍ରେ ପୁରସ୍କାର ସମ୍ପର୍କିତ ସମସ୍ତ ବ୍ୟବସ୍ଥା ସମ୍ୱନ୍ଧରେ ପ୍ରଶିକ୍ଷଣ ନେଇଥିଲେ। ବୈଠକରେ ୱେବସାଇଟ୍ କିପରି କାର୍ୟ୍ୟକରିବ, ତାହାର ଡେମୋ ଦେଖିବା ସହ ଅଧିକାରୀମାନେ ଏହାର ବିଭିନ୍ନ ଦିଗକୁ ପରଖିଥିଲେ। ଶିକ୍ଷା ବ୍ୟବସ୍ଥା ସହ ଜଡ଼ିତ ସମସ୍ତ ବ୍ୟକ୍ତିବିଶେଷଙ୍କ ସଫଳତାକୁ ଅଧିକ ପ୍ରୋତ୍ସାହନ ହେବା ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପରୁସ୍କାର’ର ଆଭିମୁଖ୍ୟ ହୋଇଥିବାବେଳେ ଏହି କାର୍ୟ୍ୟକ୍ରମକୁ ଦୁଇଟି ଶ୍ରେଣୀରେ ବିଭକ୍ତ କରାଯାଇଛି।
ବ୍ୟକ୍ତିଗତ ପୁରସ୍କାରରେ ଛାତ୍ରଛାତ୍ରୀଙ୍କୁ ଷ୍ଟୁଡେଣ୍ଟ ଏକାଡେମିକ୍ ଆୱାର୍ଡ, ଷ୍ଟୁଡେଣ୍ଟ ଲିଡର୍ସିପ୍ ଆୱାର୍ଡ ଓ ଷ୍ଟୁଡେଣ୍ଟ ମେରିଟ୍-କମ୍-ସ୍କଲାରସିପ୍ ଆୱାର୍ଡ ଦିଆଯିବ। ଏହା ସହ ବ୍ୟକ୍ତିଗତ ପୁରସ୍କାରରେ ଶିକ୍ଷକ ପୁରସ୍କାର, ପ୍ରଧାନଶିକ୍ଷକ ପୁରସ୍କାର, ସିଆର୍ସିସି ପୁରସ୍କାର, ବିଇଓ ଏବଂ ଡିଇଓ ପୁରସ୍କାର ରହିଛି। ଅନ୍ୟପକ୍ଷରେ ଆନୁଷ୍ଠାନିକ ପୁରସ୍କାରରେ ମାଧ୍ୟମିକ ସ୍କୁଲଗୁଡ଼ିକୁ ଜିଲ୍ଲା, ବ୍ଲକ, ସ୍କୁଲ ଓ ଗ୍ରାମପଞ୍ଚାୟତସ୍ତରରେ ପୁରସ୍କୃତ କରାଯିବ। ଶ୍ରେଷ୍ଠ ଏସ୍ଏମ୍ସି ପୁରସ୍କାର, ଶ୍ରେଷ୍ଠ ପୁରାତନ ଛାତ୍ର କମିଟି ପୁରସ୍କାର, ଗ୍ରାମପଞ୍ଚାୟତ ପୁରସ୍କାର ମଧ୍ୟ ଏହି ବିଭାଗର ଅନ୍ତର୍ଭୁକ୍ତ। ସେହିପରି ପ୍ରାଥମିକ ସ୍କୁଲ ଓ ତିନୋଟି ଶ୍ରେଷ୍ଠ ଡିଆଇଇଟିକୁ ମଧ୍ୟ ପୁରସ୍କୃତ କରାଯିବ। ଏସ୍ସିଇଆର୍ଟିର ସମ୍ମିଳନୀ କକ୍ଷରେ କାର୍ୟ୍ୟକ୍ରମର ସ୍ୱାଗତ ଅଭିଭାଷଣରେ ‘ମୋ ସ୍କୁଲ’ର ଭାରପ୍ରାପ୍ତ ଅଧିକାରୀ କାବେରୀ ମୁଦୁଲି ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମ୍ପର୍କରେ ସମ୍ୟକ ସୂଚନା ଦେଇଥିଲେ। ଏହି ପୁରସ୍କାର ପାଇଁ କିଭଳି ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ, ବିଦ୍ୟାଳୟ, ସିଆର୍ସି, ବିଇଓ ଓ ଡିଇଓଙ୍କୁ ଚୟନ କରାଯିବ ସେ ସମ୍ପର୍କରେ ସବିଶେଷ ତଥ୍ୟ ଉପସ୍ଥିତ ଡିଆଇଇଟିର ଅଧ୍ୟକ୍ଷ, ଶିକ୍ଷକ ପ୍ରଶିକ୍ଷକ ଏବଂ ଏମ୍ଆଇଏସ୍ଙ୍କୁ ବୁଝାଇଥିଲେ।
Powered by Froala Editor