ପୁଲିସ ଗାଡ଼ିରେ ନିଆଁ ଲଗାଇ ନିସ୍ତୁକ ପିଟିଲେ ସ୍ଥାନୀୟଲୋକେ

ଫୁଲବାଣୀ: ପୁଲିସ ଗାଡ଼ିରେ ଗଞ୍ଜେଇ ଚାଲାଣ ଅଭିଯୋଗ କରି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନାରେ ନିଆଁ ଲଗାଇ ଦେଇଛନ୍ତି ସ୍ଥାନୀୟଲୋକେ । ପ୍ରଥମେ ଫୁଲବାଣୀ-ବାଲିଗୁଡା ରାସ୍ତାରୋକ କରିଥିଲେ । କିଛି ସମୟ ପରେ ସଂଘବଦ୍ଧ ଭାବେ ଉତ୍ତ୍ୟକ୍ତ ଶତାଧିକ ସ୍ଥାନୀୟଲୋକେ ଥାନା ଜାଳିଦେବା ସହ ପୁଲିସକୁ ଗୋଡ଼ାଇ ଗୋଡ଼ାଇ ନିସ୍ତୁକ ପିଟିଥିଲେ । ଭିଡ଼କୁ ହଟାଇବା ପାଇଁ ପୁଲିସ ବ୍ଲାଙ୍କ୍ ଫାୟାରିଂ କରିଥିଲେ ମଧ୍ୟ ଗ୍ରାମବାସୀ ପଛକୁ ହଟିନଥିଲେ । ଓଲଟା ଥାନା ଭିତରେ ପଶି ଭଙ୍ଗାରୁଜା କରିଥିଲେ । ଥାନା ଭିତରେ ଥିବା ଆସବାବପତ୍ର ଭଙ୍ଗାରୁଜା କରିଥିଲେ । କମ୍ପ୍ୁ୍ୟଟର ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ଫାଇଲ ଆଦିରେ ନିଆଁ ଲଗାଇ ଦେଇଥିଲେ । ଏହାସହିତ ଥାନା ପରିସରରେ ଥିବା ଦଶରୁ ଊଦ୍ଧ୍ୱର୍ ଜବତ ବାଇକ ଓ ଏକାଧିକ ଚାରିଚକିଆ ଯାନକୁ ପୋଡ଼ି ଦେଇଥିଲେ ।
ଏତିକିରେ ସେମାନେ ଅଟକି ନଥିଲେ । ମାଲଖାନାରେ ରଖାଯାଇଥିବା ଜବତ ଗଞ୍ଜେଇ ବସ୍ତା ବାହାରକୁ ଆଣି ସେଗୁଡ଼ିକୁ ମଧ୍ୟ ଜାଳି ଦେଇଥିଲେ । ଥାନାରୁ ବନ୍ଧୁକ ଓ ଜବତ ଗାଡ଼ି ମଧ୍ୟ ଲୁଟି ନେଇଥିବା ପୁଲିସ ସୂତ୍ରରୁ ପ୍ରକାଶ । ଗ୍ରାମବାସୀଙ୍କ ଆକ୍ରମଣରେ ଏସ୍ଡିପିଓ ସୁପ୍ରସନ୍ନ ମଲିକ, ତହସିଲଦାର ଏମ୍.ଅନୁରାଧା, ଏସ୍ଆଇ ବିକାଶ ଜାଲି, ଏକାଧିକ ଯବାନଙ୍କ ସମେତ ଜଣେ ସାମ୍ବାଦିକ ଆହତ ହୋଇଛନ୍ତି । ସ୍ଥିତି ନିୟନ୍ତ୍ରଣ ପାଇଁ ଇଣ୍ଡିଆନ୍ ରିଜର୍ଭ ବାଟାଲିଅନ୍ (ଆଇଆର୍ବି) ମୁତୟନ କରାଯାଇଛି । ପ୍ରାୟ ୧୦ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖିଛି ପୁଲିସ । ବ୍ରହ୍ମପୁର ରେଞ୍ଜ୍ ଆଇଜି ସତ୍ୟବ୍ରତ ଭୋଇ ଓ କନ୍ଧମାଳ ଏସ୍ପି ଶୁଭେନ୍ଦୁ କୁମାର ପାତ୍ର ଫିରିଙ୍ଗିଆରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏହି ଘଟଣାରେ ନିଶା ମାଫିଆଙ୍କ ହାତ ରହିଛି ବୋଲି ବ୍ରହ୍ମପୁର ରେଞ୍ଜ୍ ଆଇଜି ପ୍ରକାଶ କରିଛନ୍ତି । ଉପଦ୍ରବକାରୀଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।
Powered by Froala Editor